ରାଜ୍ୟରେ ଭୟଙ୍କର ତେଲ ସଙ୍କଟ ! ଭୁବନେଶ୍ବରର ଅଧିକାଂଶ ପେଟ୍ରୋଲ ପମ୍ପ୍‌ରେ ଲମ୍ବା ଲାଇନ୍‌

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଛି କି ତେଲ ସଙ୍କଟ । ଆଜି ସକାଳେ ପେଟ୍ରୋଲ ପମ୍ପକୁ ଦେଖିଲେ କିଛି ଏପରି ମନେ ହେଉଛି । ପେଟ୍ରୋଲ ପକାଇବାକୁ ଭୁବନେଶ୍ବରର ଅଧିକାଂଶ ପେଟ୍ରୋଲ ପମ୍ପ୍‌ରେ ଲାଗିଛି ଲମ୍ବା ଲାଇନ୍‌ । ତେଲ ପକାଇବାକୁ ପେଟ୍ରୋଲ ପମ୍ପରେ ଏତେ ଲମ୍ବା ଲାଇନ ଲାଗୁଛି ଯେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଦୁଇଚକିଆ ଠାରୁ ଚାରିଚକିଆ ଯାନ ପର୍ଯ୍ୟନ୍ତ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ତେଲ ଅଭାବ ଆଶଙ୍କାରେ ଅଧିକ ତେଲ ସଂଗ୍ରହ କରିବାରେ ବ୍ୟସ୍ତ ଗ୍ରାହକ । ବିଭିନ୍ନ ତେଲ ଟାଙ୍କିରେ ତେଲ ନାହିଁ ବୋଲି ଗ୍ରାହକ ହନସନ୍ତ ମଧ୍ୟ ହେଉଛନ୍ତି ।  

ଅନ୍ୟପଟେ ଓଡ଼ିଶା ପେଟ୍ରୋଲ ପମ୍ପ୍ ଆସୋସିଏସନ୍ ସଭାପତି ସଞ୍ଜୟ ଲାଠ୍ କହିଛନ୍ତି କି, 'ରାଜ୍ୟରେ ତେଲ ସଂକଟ ନାହିଁ କି ଦର ବଢ଼ିବାର ନାହିଁ । ଲୋକେ ଭୟଭୀତ ହୋଇ ତେଲ ପକାଉଛନ୍ତି।' ସହର ସମସ୍ତ ବଡ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ବୋଲି ସଞ୍ଜୟ ଲାଠ୍ କହିଛନ୍ତି । ଲୋକଙ୍କୁ ଅନାବଶ୍ୟକ ଭିଡ ନକରିବାକୁ ଓ ଗୁଜବରେ ବିଶ୍ଵାସ ନକରିବାକୁ ଅନୁରୋଧ କରିଛନ୍ତି ।

ତେବେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ସାରା ବିଶ୍ୱ ଅନୁଭବ କରୁଛି ।  ବଢୁଛି ତୈଳ ସଙ୍କଟ ଓ ଇନ୍ଧନ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଲଗାତାର ବଢୁଥିବାବେଳେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଭାରତୀୟ ବଜାର ଉପରେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ଅସ୍ୱସ୍ଥତା ଓ ଆଶଙ୍କା ବଢ଼ିବାରେ ଲାଗିଛି । ଏହି ଗୁରୁତର ପରିସ୍ଥିତି ମଧ୍ୟରେ ଦେଶବାସୀଙ୍କୁ ସଚେତନ ହେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ପେଟ୍ରୋଲ, ଡିଜେଲ, ସାର ଓ ସୁନା ଭଳି ଆମଦାନୀ ହେଉଥିବା ସାମଗ୍ରୀର ସୀମିତ ଓ ଆବଶ୍ୟକତାନୁସାରେ ବ୍ୟବହାର କରିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

About The Author: Madhusudan Das