ସଂକ୍ରମଣ ବଢ଼ାଉଛନ୍ତି ୭ ଜିଲ୍ଲା

ଭୁବନେଶ୍ୱର : ସୋମବାର ପୁଣି ଥରେ ଦୈନିକ ସଂକ୍ରମଣ ୫ ପ୍ରତିଶତ ଅତିକ୍ରମ କରିଛି। ରାଜ୍ୟର ୨୨ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଆଉ କିଛି ଜିଲ୍ଲା ପାଇଁ ସଂକ୍ରମଣ ଉପରେ ଲଗାମ ଲାଗିପାରୁ ନାହିଁ। ସକ୍ରିୟ ମାମଲା ହ୍ରାସ ପାଉଛି ସତ, କିନ୍ତୁ ଦୈନିକ ପଜିଟିଭ୍‍ଙ୍କ ସଂଖ୍ୟା ସାଢ଼େ ତିନି ହଜାର ନିକଟରେ ରହୁଛି। ୧୦ ଦିନ ହେଲା ପାଖାପାଖି ସାଢ଼େ ତିନି ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରବିବାର ରାଜ୍ୟରେ ୬୬୧୦୯ ନମୁନା […]

ଭୁବନେଶ୍ୱର : ସୋମବାର ପୁଣି ଥରେ ଦୈନିକ ସଂକ୍ରମଣ ୫ ପ୍ରତିଶତ ଅତିକ୍ରମ କରିଛି। ରାଜ୍ୟର ୨୨ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଆଉ କିଛି ଜିଲ୍ଲା ପାଇଁ ସଂକ୍ରମଣ ଉପରେ ଲଗାମ ଲାଗିପାରୁ ନାହିଁ। ସକ୍ରିୟ ମାମଲା ହ୍ରାସ ପାଉଛି ସତ, କିନ୍ତୁ ଦୈନିକ ପଜିଟିଭ୍‍ଙ୍କ ସଂଖ୍ୟା ସାଢ଼େ ତିନି ହଜାର ନିକଟରେ ରହୁଛି। ୧୦ ଦିନ ହେଲା ପାଖାପାଖି ସାଢ଼େ ତିନି ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରବିବାର ରାଜ୍ୟରେ ୬୬୧୦୯ ନମୁନା ପରୀକ୍ଷା ହୋଇଥିଲା ବେଳେ ସେଥିରୁ ୩୩୧୯ (୫.୦୨%) ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜି ସଂଧ୍ୟାରେ ଆଉ ୩୩୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ସଂଖ୍ୟା ୮୭୦୭୮୭ରେ ପହଞ୍ଚିଛି। ଆଜି ପୁଣି ଥରେ ବାଲେଶ୍ୱର ଜିଲ୍ଲା ରେଡ୍‍ ଜୋନ୍‍କୁ ଆସିଛି। ଜିଲ୍ଲାରେ ଏବେ ୨୫୯୧ ସକ୍ରିୟ ସଂକ୍ରମିତ ଅଛନ୍ତି। ଯାଜପୁରରେ ସ୍ଥିତି ବଦଳୁ ଥିବା ସତ୍ତ୍ବେ ସକ୍ରିୟ ମାମଲା ଅଢ଼େଇ ହଜାର ଉପରେ ଅଛି।

ସବୁଳ ବଳୟରେ ଥିବା ୨୧ ଜିଲ୍ଲାରେ ସଂକ୍ରିୟ ମାମଲା ଓ ସଂକ୍ରମଣ ହାର କମ୍‍ ରହୁଛି। ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ବଢ଼଼ୁ ନାହିଁ। ତେବେ ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ତ୍ୱରାନ୍ୱିତ ହୋଇଛି। କେବଳ ସତର୍କତା ଓ ଟିକାକରଣ ଜରିଆରେ ସଂକ୍ରମଣ ଚେନ୍‍କୁ ଭାଙ୍ଗିବା ସମ୍ବବ। ଆକଳନ ଅନୁସାରେ ସଂକ୍ରମଣ କମୁ ନାହିଁ। ବର୍ତ୍ତମାନ ପଶ୍ଚିମ ଓଡ଼ିଶା ଅପେକ୍ଷା ଉପକୂଳରେ ସଂକ୍ରମଣ ହାର ଅଧିକ ଅଛି। ମୁଖ୍ୟତଃ ୪/୫ ଜିଲ୍ଲା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି। ଡିଏମ୍‍ଇଟି ଡ଼ାକ୍ତର ସିବିକେ ମହାନ୍ତି କହିଛନ୍ତି, ମହାମାରୀ ଲହର ଏକ ସଙ୍ଗରେ କମିଯିବ ବୋଲି କହିବା ଭୁଲ୍‍। ଉପକୂଳ ଜିଲ୍ଲାର ଲୋକେ ବାହାରକୁ ଯା ଆସ କରୁଥିବାରୁ ସଂକ୍ରମଣ କମୁ ନାହିଁ। ସଂକ୍ରମଣ ହାର ୫ ପ୍ରତିଶତରୁ କମ୍‍ ଥିବା ଜିଲ୍ଲାରେ କଟକଣା କୋହଳ କରାଯାଇଛି।

କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯିବା ସହ ସଂକ୍ରମିତଙ୍କୁ ସଂଗରୋଧରେ ରଖିବା ପାଇଁ ବିଭାଗ ପଦକ୍ଷେପ ନେଉଛି। ଦେବଗଡ଼ରେ ଡେଲ୍ଟା ପ୍ଲସ୍‍ ଚିହ୍ନଟ ହେବା ମାମଲାରେ ଡ଼ା ମହାନ୍ତି କହିଛନ୍ତି ଯେ ଦେବଗଡ଼ ଯାଇଥିବା ଡାକ୍ତରୀ ଟିମ୍‍ ସମ୍ପୃକ୍ତ ବ୍ୟକ୍ତିଙ୍କ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କ ଶରୀରରେ ଡେଲ୍ଟା ପ୍ଲସ୍‍ ଅଛି କି ନାହିଁ ତାହାର ଅନୁସନ୍ଧାନ କରାଯାଉଛି। ଟିମ୍‍ ଫେରିବା ପରେ ସ୍ପଷ୍ଟ ଚିତ୍ର ଜଣାପଡ଼ିବ। ତେବେ ଦେବଗଡ଼ ଜିଲ୍ଲାରେ ସଂକ୍ରମଣ ହାର
ବହୁତ କମ୍‍ ଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍‍ ରହିଛି। ତେଣୁ ଡେଲ୍ଟା ପ୍ଲସ୍‍କୁ ନେଇ ଚିନ୍ତା କରିବାର କାରଣ ନାହିଁ ବୋଲି ସେ କହିଛନ୍ତି।

About The Author: The Sakala