ସ୍ୟାଣ୍ଡ ଆନିମେଶନରେ ନବୀନଙ୍କୁ ଜନ୍ମଦିନ ଶୁଭେଚ୍ଛା, ପୁରୀରେ ସୁଦର୍ଶନ ବାଲୁକା କଳା ଅନୁଷ୍ଠାନର ନିଆରା ଉପହାର

ପୁରୀ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୮୦ତମ ଜନ୍ମଦିନ। ଅକ୍ଟୋବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ଜନନାୟକ ନେତାଙ୍କୁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ବିଶେଷ ଅବସରରେ ସୁଦର୍ଶନ ବାଲୁକା କଳା ଅନୁଷ୍ଠାନ ପକ୍ଷରୁ ଏକ ଆକର୍ଷଣୀୟ ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି।

ସୁଦର୍ଶନ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ସୋନାଲି ଆଲୁକ ଏବଂ ରିତା କବାସୀ ଏକ ସୁନ୍ଦର ବାଲୁକା ଆନିମେସନ୍ ପ୍ରସ୍ତୁତ କରି ବିଜେଡି ସୁପ୍ରିମୋଙ୍କୁ ସମ୍ମାନ ଜଣାଇଛନ୍ତି। ଏହି କଳାକୃତିରେ ନବୀନ ପଟ୍ଟନାୟକଙ୍କ ଏକ ପ୍ରତିକୃତି ସହ ଇଂରାଜୀରେ "80th Happy Birthday Naveen Patnaik Sir" (୮୦ତମ ଜନ୍ମଦିନର ଶୁଭେଚ୍ଛା ନବୀନ ପଟ୍ଟନାୟକ ସାର୍) ବୋଲି ଉଲ୍ଲେଖ କରାଯାଇଛି। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜ ପ୍ରିୟ ନେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ ଏବଂ ନିରାମୟ ଜୀବନ କାମନା କରିଛନ୍ତି।

ପିତା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ମସିହାରେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ। ଜଣେ ରାଜନୈତିକ ନବାଗତରୁ ଓଡ଼ିଶାର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାର ଗୌରବ ସେ ହାସଲ କରିଛନ୍ତି। ଲଗାତାର ୨୪ ବର୍ଷ ଧରି ରାଜ୍ୟର ଶାସନ ଡୋରି ଧରିବା ପରେ, ସେ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ଦାୟିତ୍ୱ ତୁଲାଉଛନ୍ତି। ଆଜି ତାଙ୍କର ଏହି ସ୍ୱତନ୍ତ୍ର ଦିନରେ ବିଭିନ୍ନ ରାଜନୈତିକ ଦଳର ନେତା, ଶୁଭେଚ୍ଛୁ ତଥା ସାଧାରଣ ଜନତା ସାମାଜିକ ଗଣମାଧ୍ୟମ ଯୋଗେ ତାଙ୍କୁ ଜନ୍ମଦିନର ବାର୍ତ୍ତା ପ୍ରଦାନ କରୁଛନ୍ତି।

About The Author: Madhusudan Das