ସମ୍ବଲପୁର: ନାମୀଦାମୀ କମ୍ପାନୀର ପାଣି ବୋତଲ ସମସ୍ତଙ୍କୁ ଜଣା। ଶୋଷ ସମୟରେ ପାଣି ବୋତଲ ଦୋକାନୀକୁ ମଗାଯାଉଛି। ଏହାର ଫାଇଦା ନେଇ ଦୋକାନୀ ନକଲି ବ୍ରାଣ୍ଡର ପାଣି ବୋତଲ ଧରାଇ ଦେଉଛି। ଯହା ଦେଖିବାକୁ ପୁରା ସମାନ,ଟିକେ ପରିବର୍ତ୍ତନ କରି କପି କରି ପାଣି ବୋତଲ ବଜାରରେ ବିକ୍ରି ହେଉଛି। ଯାହାକୁ ବ୍ୟବସାୟୀ ମାନେ ବିକିଲେ ଅଧିକ ଲାଭ ମଧ୍ୟ ମିଳୁଛି। ସମ୍ବଲପୁର ବଜାରରେ ବଡ ହୋଟେଲ ଠାରୁ ଆରମ୍ଭ କରି ରାସ୍ତାକଡ ହୋଟେଲ, ଠେଲା ଦୋକାନୀରେ ସବୁବେଳେ ପାଣି ବୋତଲର ଚାହିଦା ରହିଛି। ବଜାରରେ ଅନେକ ପ୍ରତିଷ୍ଠିତ କମ୍ପାନିର ପାଣିବୋତଲ ମିଳୁଛି। ହେଲେ ଏହି ପ୍ରତିଷ୍ଠିତ କମ୍ପାନି ବୋତଲ ଡିଜାଇନ ଆଳରେ ଅନକେ ନକଲି ପାଣି ବୋତଲ ବିକ୍ରି ହେଉଛି। ପ୍ରତିଷ୍ଠିତ କମ୍ପାନିର ଲୋଗ, ଡିଜାଇନ, ବୋତଲ ଆକାର ଦେଖିବାକୁ ପୁରା ସମାନ କିନ୍ତୁ ସାମାନ୍ୟ ନାମରେ ଟିକେ ପରିବର୍ତ୍ତନ କରି ବଜାରରେ ବେଧଡକ ବିକ୍ରି ଚାଲିଛି।
ତତଲା ଖରାରେ ତଣ୍ଟି ଶୁଖିଯାଉଥିବା ବେଳେ ବଜାରରେ ମିଳୁଥିବା ପାଣି ବୋତଲର ଚାହିଦା ଢେର ଅଧିକ। ଲୋକମାନେ ବାହରକୁ ଡହଡହ ଖରାରେ ଗଲେ ଶୋଷ ଲାଗିଲେ ବିଭିନ୍ନ କମ୍ପାନିର ପାଣି ବୋତଲକୁ କିଣି ପିଇଥାନ୍ତି। ହେଲେ ବଜାରରେ ଉପଲବ୍ଧ ଥିବା ବୋତଲରେ ଥିବା ପାଣି କେତେ ବିଶୁଦ୍ଧ ତାହା ଲୋକେ ଜାଣି ନଥିବେ। ବଜାରରେ ମିଳୁଥିବା ବିଭିନ୍ନ କମ୍ପାନିର ପାଣି ବୋତଲରେ ବେଳେ ବୋତଲର ପ୍ୟାକେଜିଂ, ଏହାର ଏକ୍ସପାରି ତାରିଖ ଇତ୍ୟାଦି ଲେଖା ହୋଇ ନଥାଏ। ଶୋଷକୁ ମେଣ୍ଟାଇବା ଆଶାରେ ଲୋକେ ମଧ୍ୟ ଏହି ସବୁ ତଥ୍ୟକୁ ଯାଞ୍ଚ କରିନଥାନ୍ତି। ଅନେକ ଖ୍ୟାତନାମୀ କମ୍ପାନିର ପାଣି ବୋତଲରେ ସବୁ ତଥ୍ୟ ଉପଲବ୍ଧ ଥାଏ। ହେଲେ ବଜାରରେ ଏମିତି ଅନେକ କମ୍ପାନିର ବୋତଲ ରହିଛି ଯେଉଁଥିରେ ଏକ୍ସପାରି ତାରିଖ ନଥାଏ। ଖ୍ୟାତିନାମ କମ୍ପାନିର ପାଣି ବୋତଲ ବିକ୍ରି ଆଳରେ ଦୋକାନି ମାନେ ମଧ୍ୟ ବିଭିନ୍ନ ନକଲି କମ୍ପାନିର ପାଣି ବୋତଲ ଗ୍ରାହକଙ୍କୁ ବିକ୍ର କରିବାକୁ ପଛାଉ ନାହିନ୍ତି। ପ୍ରତିଷ୍ଠିତ କମ୍ପାନି ନା, ଲୋଗ,ବୋତଲ ଡିଜାଇନ ସମାନ ରଖି ନକଲି ପାଣି ବୋତଲ ବିଶେଷ ଭାବରେ ଗ୍ରାମାଞ୍ଚଳରେ ବିକ୍ରି ଚାଲିଛି। ସଠିକ୍ ଭାବରେ ଯାଞ୍ଚ ହେଉନଥିବା ଯୋଗୁଁ ଏହାର ଫାଇଦା ନେଇ ଲକ୍ଷ ଲକ୍ଷ ଟଙ୍କାର ଲାଭ ଉଠାଉଛନ୍ତି ଅନେକ ଅସାଧୁ ବ୍ୟବସାୟୀ। ପ୍ରତିଷ୍ଠିତ କମ୍ପାନିର ପାଣି ବୋତଲ ବିକ୍ରି କଲେ ଲାଭ କମ ମିଳୁଛି କିନ୍ତୁ ନକଲି କମ୍ପାନିର ପାଣି ବୋତଲ ବିକ୍ରି କଲେ ଅଧିକ ଲାଭ ମିଳିଥାଏ ବୋଲି ଏକ ଦୋକାନୀ କହିଛନ୍ତି। ଅଧିକ ଲାଭ ପାଇବା ଆଶାରେ ଦୋକାନୀମାନେ ମଧ୍ୟ ପାଣି ନାମରେ ଲୋକଙ୍କୁ ବିଶ ଦେବା ପାଇଁ ପଛାଉ ନାହନ୍ତି।
ସୂଚନାଯୋଗ୍ୟ, ପାଣି ବୋତଲ ପ୍ରସ୍ତୁତି କରିବାକୁ ହେଲେ ପ୍ରଥମେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍)ରୁ ସ୍ୱୀକୃତିପତ୍ର ଆଣିବାକୁ ପଡେ। ସ୍ୱୀକୃତି ପୂର୍ବରୁ ବିଆଇଏସ୍ ଟିମ୍ କମ୍ପାନି ୟୁନିଟ୍ ପରିଦର୍ଶନ କରିଥାଏ। ସେଠାରେ ଥ୍ିବା ପ୍ରକ୍ରିୟାକରଣ ଏବଂ ବ୍ୟବସ୍ଥା ଯାଞ୍ଚ କରିଥାଏ। ଏହାପରେ ପ୍ରତି ୬ମାସରେ ଥରେ ଉକ୍ତ କମ୍ପାନିରୁ ପାଣି ଅଣାଯାଇ ଲାବ୍ରୋଟୋରୀରେ ପରୀକ୍ଷା କରାଯାଇଥାଏ। ଫଳରେ ନିୟମିତ ଭାବେ ପାଣିର ଶୁଦ୍ଧତା ବା ମାନ ନିର୍ଦ୍ଧାରଣ ସମ୍ଭବ ହୁଏ। ହେଲେ ବିଆଇଏସର ଏହି ନିୟମକୁ ଅନେକ ନକଲି ପାଣିବୋତଲ କମ୍ପାନି ମାନୁ ନାହାଁନ୍ତି। କି ପାଣିର ଗୁଣବତ୍ତାକୁ ପରୀକ୍ଷା କରାଉନାହାନ୍ତି। ଅଣସ୍ୱୀକୃତିପ୍ରାପ୍ତ ପାଣି କମ୍ପାନୀଗୁଡ଼ିକ ଉପରେ କେବେ ଚଢ଼ଉ କରାଯାଉ ନାହିଁ। ଯାହାଫଳରେ ଏମାନେ ନିୟମକୁ ଅଣଦେଖା କରି ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଖେଳ ଖେଳୁଛନ୍ତି। ଯଦି ପ୍ରଶାସନ ପକ୍ଷରୁ ଠିକ୍ ଭାବରେ ଯାଞ୍ଚ କରାଯାଏ ତାହାଲେ ବଜାରରେ ଅଣସ୍ୱୀକୃତି କମ୍ପାନିର ପାଣି ବୋତଲ ବିକ୍ର କମିଯିବ ବୋଲି ଅଭିଯୋଗ ହୋଇଛି। ଏହ ସହ ବଜାରରେ କେତେ ନକଲି କମ୍ପାନୀ ବ୍ୟବସାୟ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ। ଯାହାର ସୁଯୋଗ ନେଇ ସହରରେ ଶତାଧିକ ଅଣସ୍ୱୀକୃତିପ୍ରାପ୍ତ କମ୍ପାନି ପାଣି ବ୍ୟବସାୟର କାୟା ମେଲାଇ ବସିଛନ୍ତି। ଅନ୍ୟପକ୍ଷରେ ଯେଉଁ କମ୍ପାନୀଗୁଡ଼ିକ ବିନା ସ୍ୱୀକୃତିପତ୍ରରେ ପାଣି ବ୍ୟବସାୟ କରୁଛନ୍ତି ସେମାନେ ସିଧା ସଳଖ ବୋର୍ୱେଲ କିମ୍ୱା ପାଣି ପାଇପ୍ ଲାଇନ୍ରୁ ଜଳ ନେଇ ତାହାକୁ ପ୍ୟାକ୍ କରି ବଜାରକୁ ଛାଡୁଛନ୍ତି। ସ୍ୱୀକୃତିପ୍ରାପ୍ତ କମ୍ପାନୀ ୧ ଲିଟର ବିଶିଷ୍ଟ ପାଣି ବୋତଲର ହୋଲସେଲ୍ ମୂଲ୍ୟ ୧୦ ରୁ ୧୫ ଟଙ୍କା ରହିଛି। ହେଲେ ନକଲି କମ୍ପାନୀର ପାଣି ବୋତଲ ଲିଟର ପିଛା ୬ରୁ ୧୨ ଟଙ୍କାରେ ଦେଉଛନ୍ତି। ଯାହାଫଳରେ ଅଧିକ ଲାଭ ଆଶାରେ ଖୁଚୁରା ବ୍ୟବସାୟୀ ମଧ୍ୟ ନକଲି କମ୍ପାନିର ପାଣି ବୋତଲ ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।