ସମ୍ବଲପୁରରେ ଶୀତଳଷଷ୍ଠୀ ପାଇଁ ଜୁନ୍ ୨୦ରେ ଛୁଟି ଘୋଷଣା, ସୁରକ୍ଷା ପାଇଁ ୮୦ ପ୍ଲାଟୁନ୍ ପୋଲିସ ମୁତୟନ

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ପାଇଁ ଆସନ୍ତା ଜୁନ୍ ୨୦ ତାରିଖରେ ଛୁଟି ଘୋଷଣା ହୋଇଛି । ଉତ୍ତରାଞ୍ଚଳ ଆର୍‌ଡିସି (RDC)ଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ସମ୍ବଲପୁର ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କିନ୍ତୁ ଜିଲ୍ଲାର ଅନ୍ୟ ଅଞ୍ଚଳରେ ହେବନି ଛୁଟି । କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡ ଶୀତଳ ଷଷ୍ଠୀ ଛୁଟିରୁ ବାଦ୍‌ । 

ଅନ୍ୟପଟେ ଶୀତଳଷଷ୍ଠୀ ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସହରରେ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସମ୍ବଲପୁର ଏସ୍‌ପି (SP) ମୁକେଶ କୁମାର ଭାମୁ ଏକ ଉଚ୍ଚସ୍ତରୀୟ ସୁରକ୍ଷା ଯୋଜନାର ସୂଚନା ଦେଇଛନ୍ତି। ଏହି ସୁରକ୍ଷା ବ୍ୟବସ୍ଥାରେ ୭ ଜଣ ଅତିରିକ୍ତ ଏସ୍‌ପି, ୨୧ ଜଣ ଡିଏସ୍‌ପି, ୪୬ ଜଣ ଇନ୍ସପେକ୍ଟର ଏବଂ ୧୦୬ ଜଣ ସବ୍-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି (CCTV) ନଜରଦାରିକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

About The Author: Madhusudan Das