ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ, ପୁଣି ନିରାଶ କଲା କେନ୍ଦ୍ର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ପୁଣିଥରେ ନିରାଶ କରିଛନ୍ତି କେନ୍ଦ୍ର ସରକାର। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବନାହିଁ ବୋଲି ପରୋକ୍ଷରେ ସୂଚାଇ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ କଂଗ୍ରେସ କଟୁ ସମାଲୋଚନା କରିଛି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପଶ୍ଚିମଓଡ଼ିଶାବାସୀଙ୍କୁ ନିରାଶ କରିିଛି ବୋଲି କହିଛି ବିଜେଡି। ମଙ୍ଗଳବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ […]

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ପୁଣିଥରେ ନିରାଶ କରିଛନ୍ତି କେନ୍ଦ୍ର ସରକାର। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବନାହିଁ ବୋଲି ପରୋକ୍ଷରେ ସୂଚାଇ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ କଂଗ୍ରେସ କଟୁ ସମାଲୋଚନା କରିଛି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପଶ୍ଚିମଓଡ଼ିଶାବାସୀଙ୍କୁ ନିରାଶ କରିିଛି ବୋଲି କହିଛି ବିଜେଡି। ମଙ୍ଗଳବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମେଘବାଲ କହିଛନ୍ତି ଯେ ଏବେ ସାରା ଦେଶରେ ‘ଇ-କୋର୍ଟ’ ବ୍ୟବସ୍ଥା ବେଶ୍‌ ଭଲରେ କାମ କରୁଛି। ଓଡ଼ିଶା ‘ଇ-କୋର୍ଟ’ ବ୍ୟବସ୍ଥା କାର୍ଯ୍ୟକାରୀରେ ସବୁଠାରୁ ଆଗରେ ରହିଛି। ଏହି ବ୍ୟବସ୍ଥା ଅଧୀନରେ ଜିଲ୍ଲାସ୍ତରରେ ଭର୍ଚୁଆଲରେ ସମସ୍ତ ସୁବିଧା ମିଳୁଛି, ଯାହା ହାଇକୋର୍ଟ ବେଞ୍ଚ ସହ ସମାନ। ତେଣୁ ଏବେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସେତେଟା ମହତ୍ୱପୂର୍ଣ୍ଣ ନୁହେଁ ବୋଲି ବୋଲି ସେ ସ୍ପଷ୍ଟ କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ ନେଇ କଂଗ୍ରେସ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କେନ୍ଦ୍ର ଆଇନମନ୍ତ୍ରୀ ଶ୍ରୀ ମେଘବାଲଙ୍କୁ ଆଇନପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଭର୍ଚୁଆଲରେ ସବୁ ହୋଇପାରୁଛି ତେବେ କୌଣସି କୋର୍ଟ ରହିବା ଆବଶ୍ୟକତା ନାହିଁ। ଓକିଲମାନେ ନିଜ ଘରୁ କାମ କରନ୍ତୁ। ସୁପ୍ରିମକୋର୍ଟ କିମ୍ୱା ହାଇକୋର୍ଟ ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଏଭଳି ମନ୍ତବ୍ୟ ଦେବା ପରେ ମନ୍ତ୍ରୀ ପଦରେ ରହିବାର ତାଙ୍କର କୌଣସି ଯଥାର୍ଥତା ନାହିଁ। କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ କେନ୍ଦ୍ର ଆଇନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଦୀର୍ଘଦିନ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଜଳଜଳ ଦିଶୁଛି। ପଶ୍ଚିମ ଓଡ଼ିଶାବାସୀ ଏହାର ଜାବବ ଦେବେ ବୋଲି ସେ କହିଛନ୍ତି ।

ସେହିପରି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। କୋଟି କୋଟି ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି କେନ୍ଦ୍ର ସରକାର ପୂରଣ କରିବା ନେଇ ଆମେ ଆଶା ରଖିଛୁ ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି। ମାତ୍ର କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନ ସେମାନଙ୍କ ଦାବିର ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଟାଣି ନେଇଥିବା ବେଳେ ଏନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବୁଦ୍ଧିଜୀବୀମାନେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

About The Author: The Sakala