ସମ୍ୱଲପୁର: ସମ୍ବଲପୁରରୁ ଉଠିଲା କର୍ଫ୍ୟୁ । ୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି ସମ୍ବଲପୁରବାସୀ । ସମ୍ବଲପୁରରେ ଅବସ୍ଥା ସ୍ୱାଭାବିକ ହୋଇଥିବା ହୃଦୟଙ୍ଗମ କରି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି। ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ପ୍ରଭାସ ଚନ୍ଦ୍ର ଦଣ୍ଡସେବାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଥିଲା ସମ୍ବଲପୁର । ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ ମଧ୍ୟରାତ୍ରିରୁ ସହରରେ ପ୍ରଶାସନ କର୍ଫ୍ୟୁ ଲଗାଇଥିଲା ।
ସମ୍ବଲପୁର ସହରର ୬ ଥାନାରେ ଗତ ୧୪ ତାରିଖରୁ କର୍ଫ୍ୟୁ ଲଗାଯାଇଥିଲା। ମାତ୍ର ଏହାକୁ କ୍ରମଶଃ କୋହଳ କରାଯିବା ସହିତ ଗତ ୨୬ ଓ ୨୭ ତାରିଖରେ ଯଥାକ୍ରମେ- ସଦର, ବରାଇପାଲି ଥାନା ଓ ଅଇଁଠାପାଲି, କ୍ଷେତରାଜପୁର ଆଦି ୪ଟି ଥାନାରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା। ତେବେ ଶନିବାର ସନ୍ଧ୍ୟାରେ ଟାଉନ ଥାନା ଓ ଧନୁପାଲି ଥାନା ଅଞ୍ଚଳରୁ ମଧ୍ୟ କର୍ଫ୍ୟୁ ଉଚ୍ଛେଦ କରାଯାଇଛି। ଫଳରେ ବର୍ତ୍ତମାନ ଜନସାଧାରଣରଙ୍କ ଚଳପ୍ରଚଳ ସ୍ୱାଭିବିକ୍ ହୋଇପାରିବ। ତେବେ ଗତ ୧୭ ତାରିଖରେ ଜିଲ୍ଲାପାଳ ସମ୍ବଲପୁର ଜିଲ୍ଲା ସୀମା ମଧ୍ୟରେ ବାହାର ଜିଲ୍ଲାରୁ ପ୍ରବେଶ ଉପରେ ଲଗାଇଥିବା କଟକଣା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏହି ସମୟ ମଧ୍ୟରେ ବାହାର ଜିଲ୍ଲାରୁ କେହି ସମ୍ବଲପୁର ଜିଲ୍ଲା ମଧ୍ୟରେ ପ୍ରବେଶ, ଚଳପ୍ରଚଳ, କୌଣସି ସାମାଜିକ, ରାଜନୈତିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ବିନା ଅନୁମତିରେ କରିପାରିବେ ନାହିଁ।