ଦେବ୍ରୀଗଡ଼ ଅଭୟାରଣ୍ୟରେ ସମ୍ବର ଶିକାର କଲା ମହାବଳ ବାଘ: ସୁରକ୍ଷା ପାଇଁ ପାଟ୍ରୋଲିଂ କଡ଼ାକଡ଼ି

ବରଗଡ଼: ଦେବ୍ରୀଗଡ଼ ଅଭୟାରଣ୍ୟରେ ଶିକାର କଲା ମହାବଳ ବାଘ । ଟୁରିଜିମ୍ ଜୋନ୍‌ରେ ସମ୍ବର ଶିକାର କଲା  ରୟାଲ ବେଙ୍ଗଲ୍ ଟାଇଗର୍ । ବରଗଡ଼ ଜିଲ୍ଲାସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟରେ ଏକ ମହାବଳ ବାଘର ଉପସ୍ଥିତି ବନ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି। ସମ୍ପ୍ରତି ଏହି ବାଘଟି ଅଭୟାରଣ୍ୟର କୋର ଅଞ୍ଚଳରେ ଏକ ସମ୍ବର ଏବଂ ଏକ ହରିଣକୁ ଶିକାର କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।  

ସୋମବାର ଅପରାହ୍ନରେ ଦେବ୍ରୀଗଡ଼ର ପର୍ଯ୍ୟଟନ ଜୋନରେ ବାଘଟି ବୁଲୁଥିବା ବେଳେ ପ୍ରାୟ ୪୦ ଜଣ ପର୍ଯ୍ୟଟକ ଏହାକୁ ଦେଖିବାକୁ ପାଇଥିଲେ। ଚାରୋଟି ସାଫାରୀ ଗାଡ଼ିରେ ଯାଉଥିବା ପର୍ଯ୍ୟଟକମାନେ ଏହି ବିରଳ ଦୃଶ୍ୟର ସାକ୍ଷୀ ହୋଇଥିଲେ। ପରବର୍ତ୍ତୀ ସମୟରେ ବାଘଟି ଜଙ୍ଗଲର ଗଭୀର ଅଞ୍ଚଳକୁ ଯାଇ ଶିକାର କରିଥିବା ଜଣାପଡ଼ିଛି।  

ବାଘର ସୁରକ୍ଷା ପାଇଁ ଅଭୟାରଣ୍ୟର ପଶ୍ଚିମ ସୀମା ଏବଂ ନଦୀପଥ ଗୁଡ଼ିକରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। କୌଣସି ଶିକାରୀ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସ୍ଥାନୀୟ ବାସିନ୍ଦା ଏବଂ ପୋଲିସକୁ ସତର୍କ କରାଯାଇଛି।  

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବାଘଟି କେଉଁଠାରୁ ଆସିଛି ଏବଂ ଏହାର ବୟସ କେତେ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ବାଘଟିର ପରିଚୟ ଜାଣିବା ପାଇଁ କ୍ୟାମେରା ଟ୍ରାପରେ କଏଦ ହୋଇଥିବା ଫଟୋଗୁଡ଼ିକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଏବଂ ଭାରତୀୟ ବନ୍ୟଜନ୍ତୁ ସଂସ୍ଥାନ (WII) ର ବିଶେଷଜ୍ଞଙ୍କ ନିକଟକୁ ପଠାଯିବ। ବିଶେଷଜ୍ଞମାନେ ବାଘ ଶରୀରରେ ଥିବା ପଟା ଦାଗକୁ ବିଶ୍ଳେଷଣ କରି ଏହାର ଉତ୍ପତ୍ତି ଏବଂ ଗତିବିଧି ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବେ।

About The Author: Madhusudan Das