ରାଜକନିକା : ଅତ୍ୟନ୍ତ ଖାମଖିଆଲ ଭାବେ ଚାଲୁଥିବା ରାଜକନିକା ଗ୍ରାମ୍ୟନିର୍ମାଣ ଉପଖଣ୍ଡର ମୁରବୀଶୁନ୍ୟ ଅବସ୍ଥା ଲାଗି ରହିବା ଭଳି ଏହି ଉପଖଣ୍ଡ ଅଧୀନର ସମସ୍ତ ରାସ୍ତା ଦିନକୁ ଦିନ ଅସ୍ତିତ୍ୱ ହରାଇବାକୁ ବସିଲାଣି । ଏଠାରେ ଅବସ୍ଥାପିତ ଯନ୍ତ୍ରୀ ଓ ସହକାରୀଯନ୍ତ୍ରୀଙ୍କର ବାରମ୍ବାର ଅନୁପସ୍ଥିତି ସହ କ୍ଷେତ୍ର ପରିଦର୍ଶନରେ ଆଦୌ ଧ୍ୟାନ ରଖୁ ନ ଥିବାରୁ ପୂର୍ବ,ପଶ୍ଚିମ,ଓ ମଧ୍ୟ କନିକାର ସମସ୍ତ ରାସ୍ତା ଅବସ୍ଥା ବିଗିଡି ଚାଲିଛି । କେନ୍ଦ୍ରାପଡା ଜିଲ୍ଲାର ସୀମାନ୍ତରେ ଅବସ୍ଥିତି ଥିବା ରାଜକନିକା ବ୍ଲକରେ ଅଧିକାଂଶ ରାସ୍ତା ଏହି ଉପଖଣ୍ଡରେ ଥିବାରୁ କୌଣସି ବି ଗୋଟିଏ ରାସ୍ତା ସୁରକ୍ଷିତ ନ ଥିବାରୁ ଦୈନିକ ଦୁର୍ଘଟଣା ବଢିବାରେ ଲାଗିଛି ।
ପୂର୍ବକନିକାର ତରାସ–ଦେଉଳି ଯାଏ ୩.୫ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ କରାଯାଇ ଥିଲେ ମଧ୍ୟ ଅତ୍ୟନ୍ତ ନିମ୍ନମାନର କାମ ପାଇଁ ବର୍ଷ କେଇଟାରେ ଏହି ରାସ୍ତା ପରିଚୟ ହରାଇବାକୁ ବସିଛି । ଏହି ରାସ୍ତାର ଗଭାଡିଆ-ବରାଙ୍ଗ ଯାଏ ଥିବା ୨ଟି କଲଭର୍ଟର ଉଭୟ ପାଖରେ ୪ ରୁ ୫ ଫୁଟ ଗାଡ ହୋଇ ପାଣି ଜମିବା ଏବଂ ସାରା ରାସ୍ତା ଫାଟିଯିବାରୁ ଦୈନିକ ଦୁର୍ଘଟଣା ବଢିଛି । ରାସ୍ତାପାଖରେ ଥିବା ଘାସଲଟା ରାସ୍ତା ଉପରକୁ ମାଡିବା ହେଉ କିମ୍ବା ନିୟମିତ ବ୍ୟବଧାନରେ ପିଚୁ କୋଟିଂ କରାଯାଉ ଥିଲେ ବି ରାସ୍ତା ଅବସ୍ଥାରେ ସାମାନ୍ୟତମ ସୁଧାର ନ ଆସିବା ଏହି ଉପଖଣ୍ଡର ଯନ୍ତ୍ରୀମାନଙ୍କ ଦାୟିତ୍ୱହୀନତା ଓ ଠିକାଦାର ପ୍ରୀତିକୁ ପ୍ରମାଣ କରିଛି ।
ତେବେ ରାଜକନିକା ଉପଖଣ୍ଡ ସହକାରୀଯନ୍ତ୍ରୀଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ମରାମତି କରାଯିବ ବୋଲି କହି ମୂଳ କାମର ଢିଲାପଣ ନେଇ ଲୌଣସି ଉତର ଦେଇ ନ ଥିଲେ । ରାଜକନିକା ବ୍ଲକର ତମାମ ଆରଡି ରାସ୍ତା ସୁଦୃଢୀକରଣ ପାଇଁ ପ୍ରତି ବର୍ଷ କୋଟିଏ ରୁ ଉର୍ଦ୍ଧ୍ୱ ଅର୍ଥର ମରାମତି କରାଯାଉଥିଲେ ଭାରୀଯାନ ଚଳାଚଳ ଉପରେ କଟକଣା ନ ଥିବାରୁ ରାସ୍ତାସବୁ ଫାଟିବା,ଦବିବା ଏବଂ ଖାଲଖମା ହୋଇଚାଲିଛି । ବିଭାଗୀୟ ଉଦାସୀନତା ଓ ନିର୍ମାଣ,ମରାମତି ସମୟରେ ଯନ୍ତ୍ରୀଙ୍କ ଅନୁପସ୍ଥିତି ଏଭଳି ଦୁର୍ଭାଗ୍ୟକୁ ସାଥ ଦେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।