ପିପିଲି: ପେଟ୍ରୋଲ୍, ଡିଜେଲ୍ ସହ ତାଳଦେଇ ବଢିଚାଲିଛି ରନ୍ଧନ ଗ୍ୟାସ ଦର। ଗତ ୬ମାସ ତଳେ ଲୋକଙ୍କୁ ମାତ୍ର ୫ରୁ ୬ଶହ ଟଙ୍କାରେ ମିଳୁଥିବା ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର (୧୪,୬ କେଜି)ଦର ବଢି ୯ ଶହ ଟଙ୍କା ଛୁଇଁଲାଣି। ଆଗକୁ ଏହି ଦର ଆହୁରି ବଢିବ ବୋଲି କୁହାଯାଉଛି। ଏପରି ସ୍ଥଳେ ଗରିବ ଏବଂ ମଧ୍ୟବିତ୍ତବର୍ଗର ଲୋକମାନେ ବିଶେଷ କରି ଗତ ୩ବର୍ଷ ତଳେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ୍ ହୋଇଥିବା ହିତାଧିକାରୀଙ୍କ ଲାଗି ରନ୍ଧନ ଗ୍ୟାସ ଧିରେଧିରେ ଅପହଞ୍ଚ ହୋଇପଡ଼ିଲାଣି।
ମହିଳାମାନଙ୍କୁ ରୋଷେଇ ସମୟରେ ଉତ୍ପନ୍ନ ଧୂଆଁରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ରେ ଏହି ଯୋଜନା ପ୍ରଣୟନ କରିଥିଲେ। ଏହି ଯୋଜନାରେ ଗରିବ ଏବଂ ବିପି,ଲ୍ଧାରି ପରିବାରର ମହିଳା ମାନଙ୍କୁ ବିନା ଦେୟରେ ଏଲ୍.ପି.ଜି କନେକ୍ସନ୍ ଦିଆଯାଉଥିଲା। ଏହା ସହିତ ଚୁଲା କିଣିବାକୁ ଏବଂ ଗ୍ୟାସ ଭରିବାକୁ ସରକାର ଲୋନ୍ ଦେବାର ବ୍ୟବସ୍ଥା ମଧ୍ୟ କରିଥିଲେ। ରୋଷେଇ ଘର ସମ୍ଭାଳୁଥିବା ମା, ଭଉଣୀଙ୍କର ରନ୍ଧନ କଷ୍ଟ ଲଘବ ସହିତ ସେମାନଙ୍କୁ ଧୂଳି ଧୂଆଁରୁ ମୁକ୍ତ ରଖିବା ଲାଗି ପିପିଲି ବ୍ଲକ୍ରେ ୨୦୧୭ ମସିହାରୁ ଉଜ୍ଜ୍ୱଳା ଯୋଜନାରେ ଗରିବ ଏବଂ ବିପିଏଲ୍ ବର୍ଗର ପରିବାରକୁ ପିପିଲି ବ୍ଲକ୍ରେ ଥିବା ବିଭିନ୍ନ ରନ୍ଧନ ଗ୍ୟାସ ବିତରକ ସଂସ୍ଥାଙ୍କ ଜରିଆରେ ମାଗଣାରେ ଏଲ୍ପିଜି ସୁଯୋଗ ଯୋଗାଇ ଦିଆଯାଉଥିଲା। ଏବେ କେନ୍ଦ୍ରସରକାର ଗ୍ୟାସ୍ରେ ମିଳୁଥିବା ରିହାତିକୁ ବନ୍ଦ କରିଦେବା ସାଙ୍ଗକୁ ଅହେତକୁ ମୂଲ୍ୟବୃଦ୍ଧି ହେତୁ ଏମାନେ ଆଉ ଗ୍ୟାସ ଭରିବାକୁ ପସନ୍ଦ କରୁନାହାନ୍ତି। ବରଂ ପାରମ୍ପାରିକ ଇନ୍ଧନର ସହାୟତା ନେଲେଣି। କେନ୍ଦ୍ରସରକାରଙ୍କ ସହାୟତା ରନ୍ଧନ ଗ୍ୟାସ ସୁବିଧାରୁ ଖାଲି ପିପିଲି ନୁହେଁ ସମଗ୍ର ଦେଶରୁ ଲକ୍ଷଲକ୍ଷ ହିତାଧିକାରୀ ଏବେ ଅର୍ଥାଭାବାରୁ ଗ୍ୟାସ ଭରିବାରୁ ବଞ୍ଚିତ ହେଉଛନ୍ତି। ସରକାର ରିହାତି ଉଠାଇ ଦେବାପରେ ଗ୍ୟାସ ସିଲିଣ୍ଡରର ଦରବୃଦ୍ଧି ପାଇଥିବାରୁ ପିପିଲିର ଜଣେ ବିତରକ କହିଛନ୍ତି। ଫଳରେ ଗରିବ ମାନେ ବର୍ଦ୍ଧିତ ଦରରେ ଗ୍ୟାସ କିଣିବା ଅପେକ୍ଷା ପାରମ୍ପରିକ ଇନ୍ଧନ ଯେପରି କି ଗୋବର ଘସି , କାଠ ତଥା ବିଭିନ୍ନ ପ୍ରକାରର ଝାଟି ଜାଳେଣି ଉପରେ ନିର୍ଭର କରୁଛନ୍ତି। ପ୍ରଦୂଷଣ କମ୍ କରିବା ପାଇଁ ପାରମ୍ପରିକ ଇନ୍ଧନ ପରିବର୍ତ୍ତେ ଇନ୍ଧନର ବ୍ୟବହାର ଆବଶ୍ୟକ। କିରୋସିନ୍ର ଉପଯୋଗ ଫଳରେ ଉତ୍ପନ୍ନ ହେଉଥିବା ନିର୍ଗମନ ମହିଳା ମାନଙ୍କ ନିମନ୍ତେ ହିତକର ନୁହେଁ ବୋଲି ବିଶେଷଜ୍ଞ ମାନେ କହିଛନ୍ତି। ପାରମ୍ପରିକ ଚୁଲିରେ ରୋଷେଇ କରିବା ଦ୍ୱାରା ମହିଳା ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟାବସ୍ତା ପୁନର୍ବାର ଖରାପ ଆଡକୁ ଗତି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।
ସରକାର କେବଳ ମାଗଣାରେ ଏଲ୍.ପି.ଜି. ସଂଯୋଗ ଦେଇଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। ଗରିବ ଲୋକମାନେ ଏହାଦ୍ୱାରା କେମିତି ଦୀର୍ଘସ୍ଥାୟୀଭାବେ ଉପକୃତ ହୋଇପାରିବେ ସେଥିପାଇଁ ସରକର ବଢିଚାଲିଥିବା ଦରବୃଦ୍ଧି ଉପରେ ଲଗାମ ଲଗାଇବା ଦରକାର ବୋଲି କହିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୂପମା ପାତ୍ର।