ଭୁବନେଶ୍ବର : ରାଜ୍ୟର ପ୍ରତ୍ୟେକ ଗରିବ ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ସେବାରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ରାଜ୍ୟ। ତେବେ କିଛି ଅସାଧୁ ତଥା ଖଳ ପ୍ରବୃତିର ଲୋକ ଏହି ମହତ୍ୱାକାଂକ୍ଷୀ ଯୋଜନାରୁ ଅନୈତିକ ଫାଇଦା ଉଠାଇବାକୁ ପଛାଉ ନାହାନ୍ତି । ଏପରିସ୍ଥଳେ ଜନସଚେତନତା ସୃଷ୍ଟି କରି ବିଏସ୍କେୱାଇକୁ ଦୁର୍ନୀତି ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ବିଭାଗୀୟ ଶାସନ ସଚିବ ଶାଲିନି ପଣ୍ଡିତ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଆରକ୍ଷୀ ଅଧିକ୍ଷକ, ସିଡିଏମ୍ଓ/ପିଏଚ୍ଓଙ୍କୁ ପତ୍ର ଲେଖି କହିଛନ୍ତି, ବିଏସ୍କେୱାଇ ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଆର୍ଥିକ ସ୍ତରରେ ଦୁର୍ବଳ ପରିବାର ତଥା ମହିଳାମାନଙ୍କ ପାଇଁ ଏହା କୌଣସି ବରଦାନ ଠାରୁ କମ୍ ନୁହେଁ । ଘରୋଇ ଡାକ୍ତରଖାନାରେ ୯୬.୫ ଲକ୍ଷ ହିତାଧିକାରୀ ପରିବାରର ପୁରୁଷ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି । ତେବେ ଗତ କିଛି ଦିନ ହେଲା ବିଏସ୍କେୱାଇରେ ଜାଲିଆତି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖବର ଆସୁଛି । ଏଥିପ୍ରତି ଆମ ସମସ୍ତଙ୍କୁ ସଜାଗ ରହିବା ଆବଶ୍ୟକ । ବିଏସ୍କେୱାଇ କାର୍ଡ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ଏପରି ଠକେଇ କାରବାରକୁ ରୋକାଯାଇ ପାରିବ।
- ବିଏସ୍କେୱାଇ କାର୍ଡ ଆପେ ଆପେ ନବୀକରଣ ହୋଇଥାଏ,ପ୍ରତିବର୍ଷ ସେପ୍ଟେମ୍ବର ୧ରେ ସ୍ୱୟଂକୃତ ଭାବେ କାର୍ଡ ନବୀକରଣ ହୁଏ
- ହିତାଧିକାରୀ ଏହାକୁ ନବୀକରଣ କରିବା କିମ୍ବା ରିଚାର୍ଜ କରିବା ଆବଶ୍ୟକ ନାହିଁ
- ନବୀକରଣ ପାଇଁ ହିତାଧିକାରୀଙ୍କୁ କୌଣସି କାର୍ଯ୍ୟାଳୟକୁ ଧାଇଁବା ଆବଶ୍ୟକ ନାହିଁ କିମ୍ବା ଟଙ୍କା ଦେବା ଜରୁରୀ ନୁହେଁ
- ସମସ୍ତ ରାସନକାର୍ଡଧାରୀମାନଙ୍କର ବିଏସକେୱାଇ କାର୍ଡ ନଥିଲେ ମଧ୍ୟ ସେମାନେ ବିଏସକେୱାଇ ଯୋଜନାରେ ପଞ୍ଜିକୃତ ଘରୋଇ ହସ୍ପିଟାଲଗୁଡ଼ିକରେ ସମସ୍ତ ଚିକିତ୍ସା ସୁବିଧା ପାଇବା ପାଇଁ ଯୋଗ୍ୟ
- ସମସ୍ତ ହିତାଧିକାରୀମାନଙ୍କଠାରୁ ଫୋନ୍ ମାଧ୍ୟମରେ ମତାମତ ନିଆଯାଉଥିବାରୁ ହସ୍ପିଟାଲରେ ପଞ୍ଜିକରଣ ସମୟରେ ନିଜର ସଠିକ୍ ଫୋନ୍ ନମ୍ବର ଦେବାକୁ ପରାମର୍ଶ ଦିଆଯାଇଛି
- ବିଏସକେୱାଇ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରେ ବିଏସକେୱାଇ କାର୍ଡ ସ୍ୱତଃ ରିଚାର୍ଜ ହୋଇଥାଏ ।
ତେଣୁ ଏ ସମ୍ପର୍କରେ ସମସ୍ତ ବିଏସ୍କେୱାର କ୍ଷେତ୍ର କର୍ମଚାରୀ ତଥା ହିତାଧିକାରୀଙ୍କୁ ଅବଗତ କରାଇବା ପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ । ଯାହା ଫଳରେ ଅସାମାଜିକ ବ୍ୟକ୍ତି କାର୍ଡ ନବୀକରଣ ନାମରେ ହିତାଧିକାରୀଙ୍କୁ ଶୋଷଣ କରିବା ପାଇଁ ସୁଯୋଗ ପାଇବେ ନାହିଁ । ଏଥିପାଇଁ ପ୍ରଚାର ପତ୍ର ତଥା ଜନସୂଚନା ବ୍ୟବସ୍ଥା ବ୍ୟହାର କରି ଲୋକଙ୍କୁ କାର୍ଡ ନବୀକରଣ ସମ୍ପର୍କରେ ଅବଗତ କରାଇବା ପାଇଁ ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।