ରାଜ୍ୟରେ ପ୍ରତିଷ୍ଠା ହେବ ଅକ୍ଷୟ ଊର୍ଜା ଗବେଷଣା କେନ୍ଦ୍ର : ପୂର୍ବାପେକ୍ଷା ସହଜସାଧ୍ୟ ହେବ ସବୁଜ ଶକ୍ତି ଉତ୍ପାଦନ, ସଂରକ୍ଷଣ

ଭୁବନେଶ୍ୱର : ରାଜ୍ୟରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ପାଦନ ସହ ବ୍ୟବହାର ହୋଇପାରିବ, ସେନେଇ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ମଧ୍ୟ ପ୍ରଣୟନ କରିଛନ୍ତି। ଏହି ନୀତି ଅଧୀନରେ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧୦୦୦ ମେଗାୱାଟ୍‌ ସବୁଜଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି କ୍ରମରେ ରାଜ୍ୟରେ ଅକ୍ଷୟ ଉର୍ଜା ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର ବିଚାର […]

ଭୁବନେଶ୍ୱର : ରାଜ୍ୟରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ପାଦନ ସହ ବ୍ୟବହାର ହୋଇପାରିବ, ସେନେଇ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ମଧ୍ୟ ପ୍ରଣୟନ କରିଛନ୍ତି। ଏହି ନୀତି ଅଧୀନରେ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧୦୦୦ ମେଗାୱାଟ୍‌ ସବୁଜଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି କ୍ରମରେ ରାଜ୍ୟରେ ଅକ୍ଷୟ ଉର୍ଜା ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର ବିଚାର କରୁଛନ୍ତି। ଆଇଆଇଟି ଭୁବନେଶ୍ୱର ଏନେଇ ପ୍ରସ୍ତାବ ଦେଇଥିବା ବେଳେ ଆଜି ଶକ୍ତି ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଇଆଇଟି ଭୁବନେଶ୍ୱରର ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଏ ଧରଣର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଲେ, ଅକ୍ଷୟ ଉର୍ଜା ଗବେଷଣା ଅଧିକ ହେବା ସହ ଏ କ୍ଷେତ୍ରର ଆହ୍ୱାନକୁ ସଫଳତାର ସହ ମୁକାବିଲା କରାଯାଇପାରିବ। ସେହିପରି ସବୁଜଶକ୍ତି ଉତ୍ପାଦନ, ପରିବହନ, ସଂରକ୍ଷଣ ମଧ୍ୟ ପୂର୍ବାପେକ୍ଷା ବେଶ୍‌‌ ସହଜସାଧ୍ୟ ହୋଇପାରିବ ବୋଲି ଆଶା କରାଯାଉଛି। ସେହିପରି ସବୁଜଶକ୍ତି ଗବେଷଣା କ୍ଷେତ୍ରରେ କିପରି ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇ ସହଭାଗିତା ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ, ସେନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ଅପରପକ୍ଷେ ରାଜ୍ୟରେ ଗ୍ରୀନ୍‌ ହାଇଡ୍ରୋ‌ଜେନ୍‌ ଶକ୍ତିଚାଳିତ ବସ୍‌‌ ସେବା ଆରମ୍ଭ କରିବାକୁ ମଧ୍ୟ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ଶକ୍ତି ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏପରି ବସ୍‌‌ ଚଳାଚଳ ରାଜ୍ୟରେ ହେଲେ ପ୍ରଦୂଷଣର ମାତ୍ରା କମ୍‌‌ ହେବା ସହ ଏହା ଅଧିକ ପରିବେଶ ଉପଯୋଗୀ ହୋଇପାରିବ। ଏନ୍‌‌ଟିପିସିର ଆର୍‌‌ଇଏଲ୍‌ ‌(ରିନ୍ୟୁଏବୁଲ୍‌‌ ଏନର୍ଜି ଲିମିଟେଡ୍‌) ପକ୍ଷରୁ ରାଜ୍ୟରେ ଏଥିପାଇଁ ଏକ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ପ୍ଲାଣ୍ଟ ଲଗାଇବାକୁ ଶକ୍ତି ବିଭାଗ ନିକଟରେ ପ୍ରସ୍ତାବ ଦିଆଯାଇଛି। ଏହି ପ୍ଲାଣ୍ଟରୁ ବସ୍‌ଗୁଡ଼ିକ ପାଇଁ ଆବଶ୍ୟକ ଗ୍ରୀନ୍‌ ହାଇଡ୍ରୋଜେନ୍‌‌ ଉପଲବ୍ଧ କରାଯାଇପାରିବ।

ସୂଚନାନୁଯାୟୀ, ଏନ୍‌‌ଟିପିସିର ଉପରୋକ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। ଏହି ପ୍ରସ୍ତାବକୁ କିପରି କାର୍ଯ୍ୟକାରୀ କରାଯାଇପାରିବ, ସେନେଇ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିବାକୁ ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଏନ୍‌‌ଟିପିସି, ଗ୍ରୀଡ୍‌‌କୋ, ଓପିଟିସିଏଲ୍‌‌, ଓଏଚ୍‌‌ପିସି, ଓରେଡାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସବୁଜଶକ୍ତିର ଅଧିକରୁ ଅଧିକ ଉତ୍ପାଦନ, ବ୍ୟବହାର ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଆସୁଛନ୍ତି। ଶକ୍ତି ବିଭାଗ ପକ୍ଷରୁ ଅକ୍ଷୟ ଶକ୍ତି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପରିଚାଳନା ନିୟମାବଳୀକୁ ଅନୁମୋଦନ ମିଳିଛି। ସେହିପରି ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨ ଅଧୀନରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ନିବେଶକଙ୍କ ପ୍ରସ୍ତାବର ତ୍ୱରିତ ସମୀକ୍ଷା କରିବା ପାଇଁ ଶକ୍ତି ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସୁବିଧା କକ୍ଷ ବା ଷ୍ଟେଟ୍‌-ଲେଭେଲ ଫେସିଲିଟେସନ୍‌ ସେଲ୍‌ ଖୋଲାଯାଇଛି। ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗତ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ସହ ଅକ୍ଷୟ ଶକ୍ତି ନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏହି ସେଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। ଫଳରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ ରାଜ୍ୟକୁ ଆସିପାରିବ ବୋଲି ସରକାର ବିଚାର କରୁଛନ୍ତି।

About The Author: The Sakala