ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ

ଭୁବନେଶ୍ୱର: ଯେଉଁ ବିଜୁ ପଟ୍ଟନାୟକଙ୍କ ପରଲୋକରେ ତିନି ଦେଶର ପତାକା ଅବନମିତ ହୋଇଥିଲା, ଯେଉଁ ବିଜୁ ପଟ୍ଟନାୟକଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଭୁରିଭୁରି ପ୍ରଶଂସା କରିଛନ୍ତି; ସେହି ବିଜୁ ପଟ୍ଟନାୟକଙ୍କ ପ୍ରତି ଅତ୍ୟନ୍ତ ନିମ୍ନରୁଚିର ମନ୍ତବ୍ୟ ଦେଇଛନ୍ତି ଜଣେ ବିଜେପି ସାଂସଦ ନିଶିକାନ୍ତ ଦୁବେ। ବିଭିନ୍ନ ଠକେଇ ଓ ଜାଲିଆତି ମାମଲାରେ ଅଭିଯୁକ୍ତ ସାଂସଦ ନିଶିକାନ୍ତ ଦୁବେ ଓଡ଼ିଆ ଅସ୍ମିତାର ଚଳମାନ ପ୍ରତୀକ କୁହାଯାଉଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ବିରୋଧରେ ସିଆଇଏ ଏଜେଣ୍ଟ ପରି ଘୃଣ୍ୟ ଟିପ୍ପଣୀ ଦେଇଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ନିଶିକାନ୍ତ ଏପରି ମନ୍ତବ୍ୟକୁ ବିଜେଡି ପ୍ରତିବାଦ କରିଛି। ଦଳର ୭ ରାଜ୍ୟସଭା ସାଂସଦ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ବିଜେଡି ସାଂସଦ ମାନସ ମଙ୍ଗରାଜ ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା କରିବା ସହ ଇତିହାସକୁ ବିକୃତ କରିବାକୁ ନିଶିକାନ୍ତ ଦୁବେଙ୍କ ଏପରି ଉଦ୍ୟମକୁ ଓଡ଼ିଶାବାସୀ କଦାପି କ୍ଷମା କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ନିଶିକାନ୍ତ ଦୁବେ ଅଧ୍ୟକ୍ଷ ଥିବା ସଂସଦର ସ୍ଥାୟୀ କମିଟିରୁ ସାଂସଦ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି। 

ଝାଡ଼ଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ୧୯୬୨ ଚୀନ ସହ ଯୁଦ୍ଧ ଓ ଚାରିବାଟିଆ ବିମାନଘାଟିରେ ଆମେରିକୀୟ ସେନାଙ୍କ ଉପସ୍ଥିତିକୁ ନେଇ ଶ୍ରୀ ଦୁବେଙ୍କର ବିଜୁବାବୁଙ୍କ ପ୍ରତି ପ୍ରଦାନ କରିଥିବା ଅସମ୍ମାନସୂଚକ ମନ୍ତବ୍ୟ ଏବେ ସାରା ରାଜ୍ୟରେ ନିଆଁ ଲଗାଇ ଦେଇଛି। ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିକଟତମ ବୋଲି ଦାବି କରୁଥିବା, ନୀତି ନୈତିକତା ବିବର୍ଜିତ ଓ ବିଭିନ୍ନ ଠକେଇ ମାମଲାରେ ଅଭିଯୁକ୍ତ ନିଶିକାନ୍ତ ଦୁବେଙ୍କର ବିଜୁ ବାବୁଙ୍କ ପରି ପ୍ରବାଦ ପୁରୁଷ, ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଟିପ୍ପଣୀ ଦେବାର ସାମାନ୍ୟତମ ନୈତିକତା ନାହିଁ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜୁବାବୁଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। 

ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନିଶିକାନ୍ତ ଦୁବେଙ୍କ ଦ୍ୱାରା କରାଯାଇଥିବା ଅତ୍ୟନ୍ତ ଅପମାନଜନକ ଏବଂ ଦାୟିତ୍ୱହୀନ ମନ୍ତବ୍ୟକୁ ତୀବ୍ର ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି ଯେ ଇତିହାସକୁ ବିକୃତ କରିବା ଉଦ୍ଦେଶ୍ୟରେ କରାଯାଇଥିବା ଏପରି ଭିତ୍ତିହୀନ ଏବଂ ଅର୍ଦ୍ଧସତ୍ୟ ଉକ୍ତି ଜଣେ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ଗର୍ବ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନ । ଏହା କେବଳ ବିଜୁ ବାବୁଙ୍କ ଲିଗାସୀ ଉପରେ ଆକ୍ରମଣ ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ଭାବନା ଉପରେ ଆକ୍ରମଣ। ଏପରି ନିମ୍ନ ସ୍ତରର ରାଜନୀତି ଦେଶ ପ୍ରତି ତାଙ୍କର ବିଶାଳ ଯୋଗଦାନ ଉପରେ ପ୍ରଭାବ ପକାଇପାରିବ ନାହିଁ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। 

ଅନ୍ୟପକ୍ଷରେ ସାଂସଦ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ, ନିରଞ୍ଜନ ବିଶି, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ ପ୍ରମୁଖ କଠୋର ଶବ୍ଦରେ ନିଶିକାନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ତାଙ୍କର ମତିଭ୍ରମ ଘଟିଥିବା କହିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ ଏପରି ଭିତ୍ତିହୀନ, ଅସଂଗତ ଏବଂ ଐତିହାସିକ ସତ୍ୟତାରୁ ବଞ୍ଚିତ ଦାବିଗୁଡ଼ିକ ଜଣେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ଅମର ପ୍ରତୀକ ତଥା ଦେଶର ଗର୍ବ ଓ ବୀରତ୍ୱର ପ୍ରତି ଗମ୍ଭୀର ଅପମାନ। ଏହା କେବଳ ବିଜୁ ବାବୁଙ୍କ ବିରାଟ ଲିଗାସୀକୁ ହୀନ ପ୍ରତିପାଦିତ କରିବା ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ସାମୂହିକ ବିବେକ ଏବଂ ଭାବନା ପ୍ରତି ସିଧାସଳଖ ଅପମାନବୋଲି ସେ କହିଛନ୍ତି। ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ ବିଜୁ ବାବୁ କେବଳ ଜଣେ ରାଜନୈତିକ ନେତା ନ ଥିଲେ, ସେ ନିଜେ ଏକ ଅନୁଷ୍ଠାନ ଥିଲେ। ଏକାଧାରାରେ ସେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ, ଅସାଧାରଣ ବିମାନ ଚାଳକ, ଦୂରଦର୍ଶୀ ରାଜନୀତିଜ୍ଞ ଏବଂ ଭାରତର ସାହସ ଓ ଗରିମାର ବିଶ୍ୱସ୍ତରୀୟ ଦୂତ ଥିଲେ। ଜଣେ ସାଂସଦ ଏବଂ ଜନପ୍ରତିନିଧି ଭାବରେ ମୁଁ ଏହିପରି ମନ୍ତବ୍ୟର ତୀବ୍ର ପ୍ରତିବାଦ କରୁଛି। ସାଂସଦ ମୁଜିବୁଲ୍ଲା ଖାନ କହିଛନ୍ତି ଯେ ଶାସକ ଦଳର ସାଂସଦଙ୍କ ଏପରି ମିଥ୍ୟା, ଭିତ୍ତିହୀନ ଏବଂ ଦାୟିତ୍ୱହୀନ ବିବୃତ୍ତି ମୋତେ ଗଭୀର ଆଘାତ ଦେଇଛି। ଏପରି ହ୍ୱାଟ୍ସଆପ୍‌ ଗ୍ରାଜୁଏଟ୍‌ ଆମର ଗର୍ବ ଏବଂ ଓଡ଼ିଆ ଲିଗାସୀକୁ ଅପମାନିତ କରିଛନ୍ତି। ଏହା ୪.୫ କୋଟି ଓଡ଼ିଆ ଏବଂ ରାଜ୍ୟବାସୀଙ୍କ ପ୍ରତି ଅପମାନ ଅଟେ। ରାଜ୍ୟବାସୀ ଏହାର ନିଶ୍ଚୟ ଯଥୋଚିତ ଜବାବ୍‌ ଦେବେ ବୋଲି ସେ କହିଛନ୍ତି। ସେହିପରି ଅନ୍ୟତମ ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ବିଜୁ ବାବୁ କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତର ଗର୍ବ ଅଟନ୍ତି। ଆମେ ଆମର ଗର୍ବ ପାଇଁ ଲଢ଼ିବୁ ବୋଲି  ପ୍ରକାଶ କରିଛନ୍ତି। ଅପରପକ୍ଷରେ ସିପିଆଇ(ଏମଏଲ) ନିଶିକାନ୍ତ ଦୁବେଙ୍କ ଉକ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି। ଶ୍ରୀ ଦୁବେଙ୍କ ବୟାନ ମିଥ୍ୟା ଓ ନିଚସ୍ତରର ଓ ଏଥିପାଇଁ ଓଡ଼ିଶାବାସୀଙ୍କୁ ଏଥିପାଇଁ ବିଜେପି ଦଳ କ୍ଷମା ମାଗୁ ବୋଲି ଦଳ ଦାବି କରିଛି। 

ସୂଚନାଯୋଗ୍ୟ ଯେ  ଶ୍ରୀ ଦୁବେ୧୯୬୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍‌ ନେହେରୁ  ଚୀନ୍‌ ସହିତ ହୋଇଥିବା ଯୁଦ୍ଧ ଆମେରିକାର ଆର୍ଥିକ ସହାୟତା ଏବଂ ସିଆଇଏ ସହାୟତାରେ ଲଢ଼ାଯାଇଥିଲା ବୋଲି କହିଥିଲେ। ଏହା ସହିତ ତକ୍ରାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଆମେରିକା ସରକାର, ସିଆଇଏ ଏବଂ ନେହେରୁଙ୍କ ମଧ୍ୟରେ ଯୋଗସୂତ୍ର ଥିଲେ ବୋଲି ଅଭିଯୋଗ କରିିଥିଲେ । 

About The Author: Madhusudan Das