ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୧୨ ଗ୍ରାମବାସୀ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ପୁଲିସ ଏକ ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଲିସ ଏହି ଘଟଣାରେ ୧୨ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି। ଗୋଠାଲପଦର ପଞ୍ଚାୟତ ଅନ୍ତର୍ଗତ କାକିତରା ଗାଁର ମାଟିଆ ପାଟିକା ଗତ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ପରଦିନ ସକାଳେ ବାଙ୍ଗୁରୁ କେନାଲ ନିକଟରେ ତାଙ୍କର ରକ୍ତାକ୍ତ ମୃତଦେହ ଏବଂ ମୋଟରସାଇକେଲ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀ ସୁବର୍ଣ୍ଣୀ ପାଟିକାଙ୍କ ଅଭିଯୋଗ କ୍ରମେ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୦୩(୨) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସର ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ମାଟିଆଙ୍କ ଉପରେ କଳାଯାଦୁ କିମ୍ବା ଗୁଣିଗାରେଡ଼ି କରୁଥିବା ନେଇ ସନ୍ଦେହ କରୁଥିଲେ। ସେ ସମ୍ପ୍ରଦାୟରୁ ନିଜକୁ ଦୂରେଇ ରଖୁଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ସେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ବାଙ୍ଗୁରୁ କେନାଲ ନିକଟରେ ଛପି ରହିଥିଲେ। ତାଙ୍କୁ ଅଟକାଇ ଏକ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ମୃତଦେହ ଏବଂ ବାଇକ୍‌କୁ ପାଣିରେ ଫୋପାଡ଼ି ଦେଇଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କାଠ ଫାଳିଆ, ୧୨ଟି ମୋବାଇଲ ଫୋନ ଏବଂ ମୃତକଙ୍କ ମୋଟରସାଇକେଲ ଜବତ କରିଛି।

About The Author: Madhusudan Das