ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ ଘଟିଥିବା ଭିଡ଼ ହିଂସା ଓ ବର୍ବରତା ଘଟଣାରେ ପୋଲିସ ନିଜର କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି କରିଛି। ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଅଭିଯୋଗରେ ପୋଲିସ ଆହୁରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗିରଫଦାରୀକୁ ମିଶାଇ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦ଜଣଙ୍କୁ ଗିରଫ କରିଛି ପୋଲିସ । ଆଗାମୀ ଦିନରେ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଗିରଫଦାରୀ ଭୟରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କଲ୍ୟାଣସିଂହପୁର ବ୍ଲକ ଅଧୀନରେ ଥିବା ତେନ୍ତୁଳିଗୁଡ଼ା ସମେତ ଆଖପାଖର ଅନେକ ଗାଁରୁ ପୁରୁଷମାନେ ପୋଲିସ ଭୟରେ ଗାଁ ଛାଡ଼ି ପଳାୟନ କରିଥିବା ଖବର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାରେ କାମ କରୁଥିବା ନୂଆଦିଲ୍ଲୀର ଜଣେ ଯୁବତୀ ଏବଂ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ପିଲାଚୋର ସନ୍ଦେହରେ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଯୁବତୀଙ୍କୁ ବିବସ୍ତ୍ର କରିବା ସହ ତାଙ୍କ ଉପରେ ଅମାନବୀୟ ଭାବେ ଆକ୍ରମଣ କରିଥିଲେ। ଏହି ଘଟଣା ସମଗ୍ର ଓଡ଼ିଶା ତଥା ରାଜ୍ୟ ବାହାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।

ଘଟଣାସ୍ଥଳରୁ ପୋଲିସ ତୁରନ୍ତ ପୀଡ଼ିତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରୁ କିଛି ବ୍ୟକ୍ତି ଡାକ୍ତରଖାନା ପରିସରରେ ମଧ୍ୟ ହଙ୍ଗାମା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହି ବର୍ବରକାଣ୍ଡକୁ ସବୁ ମହଲରୁ ଦୃଢ଼ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ସାମାଜିକ ସଙ୍ଗଠନ ଓ ସାଧାରଣ ନାଗରିକ ଦାବି କରିଆସୁଛନ୍ତି। 

About The Author: Madhusudan Das