ରାୟଗଡ: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଶନିବାର ଭର୍ଚୁଆଲ୍ ମାଧ୍ୟମରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ହୋଇଛି। ସମ୍ଭାବ୍ୟ ବାତ୍ୟାର ତୀବ୍ରତାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ସତର୍କ ରହିବା ସହ ଆଗୁଆ ପ୍ରସ୍ତୁତି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଦୁଇ ଘଣ୍ଟାରେ ବର୍ଷାର ସ୍ଥିତି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବା ସହ ଆବଶ୍ୟକ ସତର୍କ ସୂଚନା ଓ ଅନ୍ୟାନ୍ୟ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି।
ଜିଲ୍ଲାର ସମସ୍ତ ବ୍ଲକ୍ରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାର ପୂର୍ବରୁ ଚିହ୍ନଟ ସମ୍ବେଦନଶୀଳ ଗ୍ରାମଗୁଡ଼ିକରେ ଆବଶ୍ୟକ ପଦକ୍ଷେପ ନେବା ସହ ପୂର୍ବରୁ କ୍ଷୟକ୍ଷତି ଘଟିଥିବା ଓ ଦୁର୍ବଳ ସ୍ଥାନଗୁଡ଼ିକର ମରାମତି କାର୍ଯ୍ୟ ଆଗୁଆ ଶେଷ କରିବାକୁ କୁହାଯାଇଛି। ବାତ୍ୟାର ସ୍ଥିତି ଓ ପାଣିପାଗ ବିଭାଗର ସତର୍କ ସୂଚନା ଆଧାରରେ ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା ପାଇଁ ପଦକ୍ଷେପ ନିଆଯିବ। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ କଲ୍ୟାଣସିଂହପୁର, ଗୁଡ଼ାରୀ ଓ ଗୁଣପୁରରେ ଗୋଟିଏ ଲେଖାଏଁ ମୋଟ ୩ଟି ପାୱାର ବୋଟ୍ ପ୍ରସ୍ତୁତ ରଖାଯାଇଛି।
ସେହିପରି ହାଟ ଶେଷଖାଲ (ରାୟଗଡ), ବିକ୍ରମପୁର (ଗୁଣପୁର) ଓ କୁଟ୍ରାଗୁଡ (ବିଷମକଟକ)ଠାରେ ୩ଟି ସ୍ଥାୟୀ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ସହ ୮୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ପଡ଼ିଲେ ରାୟଗଡ, ଗୁଣପୁର ଓ ବିଷମକଟକ ଅଞ୍ଚଳରେ ଓଡ୍ରାଫ୍, ଅଗ୍ନିଶମ ବିଭାଗ ଓ ଏନ୍ଡିଆର୍ଏଫ୍ ଦଳକୁ ମୁତୟନ କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ଏମ୍ଆଇ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସହରାଞ୍ଚଳର ଡ୍ରେନ୍ଗୁଡ଼ିକୁ ଆଗୁଆ ସଫା କରିବା ସହ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଛି। ନଦୀ ଓ ଜଳାଶୟଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବା ସହ ଜଳସ୍ତର ବିପଦସଙ୍କେତ ନିକଟରେ ପହଞ୍ଚିବା ପୂର୍ବରୁ ତୁରନ୍ତ ରିପୋର୍ଟ ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି।
ସ୍ୱାସ୍ଥ୍ୟସେବାକୁ ନେଇ ମଧ୍ୟ ଆଗୁଆ ପ୍ରସ୍ତୁତି କରାଯାଇଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ଆଗୁଆ ମା’ ଗୃହକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଜରୁରୀକାଳୀନ ଔଷଧ ଓ ସାପ କାମୁଡ଼ାର ଚିକିତ୍ସା ପାଇଁ ପ୍ରତିଷେଧକ ଔଷଧ ମହଜୁଦ ରଖିବା ସହ ହସ୍ପିଟାଲଗୁଡ଼ିକରେ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ ରଖାଯାଇଛି। ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେଲେ ଯେପରି ସ୍ୱାସ୍ଥ୍ୟସେବା ପ୍ରଭାବିତ ନହୁଏ, ସେଥିପାଇଁ ସମସ୍ତ ହସ୍ପିଟାଲରେ ବିକଳ୍ପ ବିଦ୍ୟୁତ୍ ଯୋଗାଣ ପାଇଁ ଜେନେରେଟର୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି। ବାତ୍ୟା ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ତ୍ୱରିତ ପଦକ୍ଷେପ ନେବା ଏବଂ ଜନସାଧାରଣଙ୍କୁ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ସମ୍ପର୍କିତ ଜରୁରୀ ସୂଚନା ଓ ସହାୟତା ପାଇଁ ଜନସାଧାରଣ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିପାରିବେ। ଏଥିପାଇଁ ୦୬୮୫୬-୨୨୪୦୮୨, ୦୬୮୫୬-୨୨୪୦୬୨ ଏବଂ ଟୋଲ୍ ଫ୍ରି ନମ୍ବର ୧୦୭୭ ଜାରି କରାଯାଇଛି। ଜରୁରୀ ପରିସ୍ଥିତିରେ ଏହି ନମ୍ବରଗୁଡ଼ିକରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ନହୋଇ ଧୈର୍ଯ୍ୟ ଓ ସତର୍କତାର ସହ ପରିସ୍ଥିତିର ମୁକାବିଲା କରିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିବେଦନ କରିଛନ୍ତି। ସରକାରୀ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଆବଶ୍ୟକ ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।