ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଗଣେଶ ପୂଜା ଚାଲିଥିବା ବେଳେ ଆଗକୁ ଦଶହରା, ଲକ୍ଷ୍ମୀପୂଜା ଓ କାଳୀପୂଜା ଆସୁଛି। ପାର୍ବଣକୁ ନେଇ ରାଜଧାନୀରେ ଉତ୍ସାହ ଲାଗି ରହିଥିବା ବେଳେ କମିସନରେଟ ପୁଲିସ ପକ୍ଷରୁ ଡିଜେକୁ ନିଷେଧ କରାଯାଇଛି। ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ ଶୁଣିବାକୁ ମିଳୁଛି। ଅନୁମତି ଦେବାପରେ ଶବ୍ଦ ପ୍ରଦୂଷଣର ଯାଞ୍ଚ ହେଉ ନଥିବାରୁ ଏଥିରେ ରୋକ୍ ଲାଗି ପାରୁନାହିଁ।
ପୂଜା ପର୍ବାଣୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଭସାଣି ଯାତ୍ରା ପାଇଁ ଅନୁମତି ଦିଆଯାଉଛି। କମିସନରେଟ ପୁଲିସ ପକ୍ଷରୁ ଅନୁମତି ଦିଆଯାଉଥିବା ବେଳେ ଡିଜେକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଅନୁସାରେ, ପୂଜା ପର୍ବାଣୀ ଓ ଶୋଭାଯାତ୍ରାରେ ୬୫ ଡେସିବଲ୍ ତୀବ୍ର ଶବ୍ଦ ବ୍ୟବହାର କରିବାକୁ ଅନୁମତି ରହିଛି। ସେହିପରି ଜନବସତି ଅଞ୍ଚଳରେ ୫୫ ଡେସିବଲ୍, ବାଣିଜ୍ୟିକ ଅଞ୍ଚଳରେ ୬୫ ଡେସିବଲ୍, ସ୍କୁଲ୍ ଓ ଡାକ୍ତରଖାନା ନିକଟରେ ୫୦ ଡେସିବଲ୍ ତୀବ୍ର ଶବ୍ଦକୁ ଅନୁମତି ଦିଆଯାଇପାରିବ। ଚଳିତବର୍ଷ ରାଜଧାନୀର ୩୭୬ଟି ଗଣେଶ ପୂଜା କମିଟି ପକ୍ଷରୁ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ପାଇଁ ଆବେଦନ କରାଯାଇଛି। ସେଥିରୁ ପ୍ରାୟ ୨୩୦ରୁ ଅଧିକ କମିଟି ଭସାଣି ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି। କମିସନରେଟ ପୁଲିସ ପକ୍ଷରୁ ୧୬, ୧୮ ଓ ୨୦ ତାରିଖକୁ ଭସାଣି ଶୋଭାଯାତ୍ରା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବା କମିଟିକୁ ପୁଲିସ ପକ୍ଷରୁ ଅନୁମତି ଦିଆଯାଉଛି।
ମାତ୍ର ୬୫ ଡେସିବଲ୍ ଶବ୍ଦ ବ୍ୟବହାରକୁ ଅନୁମତି ରହିଥିବା ବେଳେ, ଏହି ନିୟମର ଧଜିଆ ଉଡ଼ୁଛି। ଡିଜେ ନିଷେଧ କରାଯାଇଥିଲେ ମଧ୍ୟ ଭସାଣି ଶୋଭାଯାତ୍ରାରେ ଡିଜେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ପ୍ରଚଣ୍ଡ ଶବ୍ଦ ଯୋଗୁଁଁ ସାଧାରଣ ଲୋକେ ପ୍ରଭାବିତ ହେଉଥିବା ବେଳେ ପୂର୍ବରୁ ଜୀବନ ଯିବାର ମଧ୍ୟ ନଜିର ରହିଛି। କାଗଜପତ୍ରରେ ଡିଜେ ନିଷେଧ ହୋଇଥିଲେ ମଧ୍ୟ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା। ଗତକାଲି ବାଲିପାଟଣା ଥାନା ବାରହଳ ନିକଟରେ ଡିଜେ ବାଜିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଦୁଇଟି ଡିଜେ ଗାଡ଼ିକୁ ଜବତ କରିଛି।
ଡିଜେ ନିଷେଧ ପରେ ବି ଭସାଣି ବେଳେ ଶବ୍ଦ ନିୟନ୍ତ୍ରଣ ସମ୍ଭବ ହୋଇଛି କି ? କେବଳ ଡିଜେ ବନ୍ଦ ଦ୍ୱାରା ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ହେଉଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। ଖାଲି ଡିଜେ ବାଜୁ ନାହିଁ, ଜନଗହଳିପୂର୍ଣ୍ଣ ରାସ୍ତାକୁ ଅବରୋଧ କରି ଭସାଣି ଯାତ୍ରା ହେଉଛି। ଏହାସହିତ ମଦ୍ୟପାନ କରି ନାଚଗୀତ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ, ଅସାମାଜିକ ଯୁବକଙ୍କ ଅସତ୍ ଆଚରଣ କାରଣରୁ ଗଣ୍ଡଗୋଳ ମଧ୍ୟ ହେଉଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କମିସନରେଟ ପୁଲିସ ପକ୍ଷରୁ ଅନୁମତି ଦେଉଥିବା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଶବ୍ଦର ତୀବ୍ରତା ଯାଞ୍ଚ କରିବା ଦାୟିତ୍ୱରେ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ଥାନୀୟ ପୁଲିସ ସହଯୋଗରେ ଶବ୍ଦର ତୀବ୍ରତା ମାପିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀମାନେ ଶବ୍ଦର ତୀବ୍ରତା ଯାଞ୍ଚ କରୁଥିବାର ନଜରକୁ ଆସୁନାହିଁ। ଭସାଣି ଯାତ୍ରା ବେଳେ ବ୍ୟବହୃତ ମାଇକ୍, ସାଉଣ୍ଡ ସିଷ୍ଟମ୍, ବାଦ୍ୟଯନ୍ତ୍ର ଓ ଅନ୍ୟ ଶବ୍ଦ ଉତ୍ସର ପ୍ରକୃତ ଡେସିବିଲ ନିୟମିତ ଯାଞ୍ଚ ହେଉନଥିବାରୁ ଏହାର ଉଲଙ୍ଘନ ବଢ଼଼ିବାରେ ଲାଗିଛି।