ଓଳାଭର : ଦୁଇବର୍ଷ ଧରି କରୋନା କଷଣରେ ପେଷି ହୋଇ ଚଳିତ ବର୍ଷ ଚାଷକୁ ଆଦରି ଚାଷ କରିଥିଲା ଚାଷୀ,ଏଥର ଵି ପ୍ରତିକୂଳ ପାଗ ସତ୍ତେ ଜମିରେ ସୁନାର ଫସଲ ଫଳିଥିବା କଥା କହି ଥିଲେ ଓଳାଭର ଅଞ୍ଚଳର ବହୁଚାଷୀ ।ଦିନ କେଇଟାରେ ଅମଳ ହୋଇ ଘରକୁ ବି ଆସିଥାନ୍ତା ,ହେଲେ ଓଲଟ ପାଲଟ କରିଦେଲା ବାତ଼୍ୟା। ଯଦିଓ ବାତ୍ୟାର ପ୍ରଭାଵ ସେତେ ପଡିନଥିଲା କିନ୍ତୁ ଲଗାଣ ବର୍ଷା ସବୁ ଉଜାଡିଦେଲା। ଧାନ ତ ଗଲା ତା ସହ ଵି ବିରି ଫସଲ ଚାଲିଗଲା ।
ଏବେ ଚାଷୀ ମୁଣ୍ଡରେ ଚଡକ ପଡିଛି। ହତୋତ୍ସାହିତ ହୋଇ ଶେଷରେ ଭିଟା ମାଟି ଛାଡି ଦାଦନ ଘଟିବାକୁ ଗୋଡ କାଢିଛି ଚାଷୀ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଓଳାଭର,ବଳରାମପୁର,ବରୁଣା,ନହୁଣୀ,ସିହୋପଡା, ପେଗରପଡା,ପାରିନୂଆପଡା ହାବଳଗଣ୍ଡ,ଦେଉଳତରା,ନମତରା, ଦୋମଣ୍ଡା ପ୍ରମୁଖ ପଞ୍ଚାୟତର ଶହ ଶହ ଚାଷୀ ଚଳିତ ବର୍ଷ କରିଥିବା ବ୍ୟୟବହୁଳ ଚାଷରେ ଖର୍ଚ୍ଚ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । କୃଷି ସେବା ସମବାୟ ସମିତି,ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଏମିତିକି ହାତ ଉଧାର କରି ଆଣିଥିବା ଟଙ୍କା କିଭଳି ଫେରେଇବେ ତାହା ମଧ୍ୟ ଏବେ କାଠିକର ପାଠ ହେଲାଣି । ବର୍ଷା ଯୋଗୁ ଧାନ କିଆରିରେ ପାଚିଲା ଧାନ ପାଣିରେ ବୁଡିଛି । ଧାନ କେଣ୍ଡା ମୁଣ୍ଡ ମାଡି ପଡିବା ଫଳ
ରେ ସେଥିରେ ଗଜା ବି ବାହାରିସାରିଲାଣି । ଧାନ କାଟିବାକୁ ଗଲେ ପାଣି କାଦୁଅରେ ପଚା ଧାନ ଗଛ ଦେଖି ଚାଷୀର ହଲିକା ଶୁଖୁଛି, ଏମିତିକି ବିଡାଏ ଧାନ ଅମଳ କରିବାକୁ ସାହସ ଜୁଟୁନି । ପାଣି ଭିତରେ ଅଣ୍ଡାଳି ଅଣ୍ଡାଳି ଧାନ କେଣ୍ଡା ଖୋଜିଲା ବେଳକୁ ମାଟି କାଦୁଅରେ ସରସର ହୋଇ ଯାଉଛି । ଫଳରେ ହିଡ ମୁଣ୍ଡରେ ବସି ଚାଷୀ କାନ୍ଦିବା ଛଡା ଆଉ କିଛି ବି ଉପାୟ ନାହିଁ ।
ଅପର ପକ୍ଷରେ ଦେଖିବାକୁ ଗଲେ କେବଳ ଯେ ଧାନ ଫସଲ ଉଜୁଡିଗଲା ତାହା ନୁହେଁ ଏହି ଅଞ୍ଚଳର ଚାଷୀ ଅର୍ଥକାରୀ ବିରି ଫସଲ ବି ବର୍ଷା ଧୋଇ ନେଇଥିବା ନେଇ କହିଛନ୍ତି ଉଜାଙ୍ଗ ଗ୍ରାମର ରଜନୀକାନ୍ତ ନାୟକ,ରଜତ କୁମାର ନାୟକ,ଶ୍ରୀକାନ୍ତ ନାୟକ,ଚନ୍ଦ୍ରଭାନୁ ନାୟକ, ବରିପଡାର ଧନେଶ୍ୱର ମଳିକ,ନୃସିଂହ ବାରିକ,କୈଳାସ ବାରିକ, ପରମେଶ୍ୱର ବାରିକ,ସିହୋପଡାର ଶରତ ବାରିକ,ନମତରାର ସୁରଥ ଜେନା,ଗୋପାଳପୁରର ବିନୋଦ ନାୟକ,ନହୁଣୀର ଦୟାନିଧି ସାହୁ ପ୍ରମୁଖ ଚାଷୀ । ସବୁଠାରୁଗୁରୁୁତ୍ୱପୂର୍ଣ୍ ଦିଗଟି ହେଉଛି ଚାଷର ଏଭଳି ଦୁର୍ଦ୍ଦଶା ବେଳେ କୃଷି ଓ ରାଜସ୍ୱ ବିଭାଗର କୈଣସି ଅଧିକାରୀ ସରଜମିନ ତଦନ୍ତ କରିବାକୁ ଏଯାଏ ଵି ଆସି ନ ଥିବାର ଅଭିଯୋଗ କରିଛନ୍ତି ଚାଷୀ ।ଫଳରେ କ୍ଷୟକ୍ଷତି ଆକଳନ ବିଳମ୍ବ ହେବା ନେଇ ଚାଷୀ ଦ୍ୱନ୍ଦରେ ଦିନଗଣୁଛନ୍ତି ।