ପୁରୀ : ମୋଗଲ ଶାସନ ସମୟରେ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କଠାରୁ ଜିଜିଆ କର ଆଦାୟ ପରି ଏଣିକି ଶ୍ରୀକ୍ଷେତ୍ରରେ ଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତଙ୍କଠାରୁ ମାହାସୁଲ ଆଦାୟ ହେବ। ବିନା ପାଉଣାରେ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ। ପୁରୀସ୍ଥିତ ଦରିଆ ମହାବୀର ମନ୍ଦିିରରେ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ଦେବୋତ୍ତର କମିଶନର ଦରିଆ ମହାବୀର ମନ୍ଦିରରେ ଦର୍ଶନ ନିମନ୍ତେ ଟିକଟ ବ୍ୟବସ୍ଥା କରିବା ଓ ଏଥିପାଇଁ ଠିକା ସଂସ୍ଥାକୁ ନିଯୁକ୍ତି ଦେବାକୁ ନିଲାମ ଡ଼ାକିବାକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛିିଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବିିଭିନ୍ନ ପୀଠରେ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଉପରେ ଟିକଟ ବୋଝ ଲଦିଥିବାବେଳେ ଏବେ ଦେବୋତ୍ତର କମିଶନର ଅନୁରୂପ ନିର୍ଦ୍ଦେଶ ଦେବା ଲୋକଙ୍କ ମନରେ ରୋଷ ସୃଷ୍ଟି କରିଛି । ଡବଲ ଇଞ୍ଜିନ୍ ସରକାର ରାଜ୍ୟବାସୀଙ୍କଠାରୁ ‘ଅସ୍ମିତା’ ଟିକସ ଆଦାୟ କରିବ ବୋଲି ଲୋକମାନେ ଏବେ କଟାକ୍ଷ କରିବା ଆରମ୍ଭ କରିଛନ୍ତି ।
ପୁରୀ ଆସୁଥିବା ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ମନ୍ଦିର ବୁଲିଥାନ୍ତି। ଆସ୍ଥା ଓ ବିଶ୍ୱାସର ଏମିତି ଅନେକ ଧାର୍ମିକ ପୀଠ ଶ୍ରଦ୍ଧାଳୁଙ୍କ ଖାସ୍ ଆକର୍ଷଣ ରହିଆସିଛି। ସେହିଭଳି ଏକ ଧାର୍ମିକ ସ୍ଥଳୀ ହେଉଛି ଚକ୍ରତୀର୍ଥ ନିକଟ ଶ୍ରୀବେଡିହନୁମାନ ବା ଶ୍ରୀଦରିଆ ମହାବୀରଙ୍କ ମନ୍ଦିର। ମନ୍ଦିର ଭିତରେ ଭକ୍ତରାଜ ଶ୍ରୀ ହନୁମାନଙ୍କ ବିଗ୍ରହର ଗୋଟିଏ ଗୋଡ଼ରେ ଲୁହାର ଶିକୁଳି ବା ବେଡି ବନ୍ଧାଯାଇଥିବା ଦୃଷ୍ଟିଗୋଚର ହୁଏ। କିମ୍ବଦନ୍ତୀ ଅନୁଯାୟୀ, ଯେପରି ମହୋଦଧି ବେଳାଭୂମିର ବାଲୁକାରାଶି ସୀମାକୁ ଅତିକ୍ରମ କରି ଶ୍ରୀକ୍ଷେତ୍ର ଭିତରକୁ ଆସିବ ନାହିଁ ସେଥିପାଇଁ ମହାପ୍ରଭୁଙ୍କ ଆଦଶରେ ଶ୍ରୀହନୁମାନଙ୍କୁ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରୁ ଗୋଟିଏ ଶ୍ରୀମହାପ୍ରସାଦ ଲଡୁ ଦିଆଯାଇ ସେଠାରେ ବେଡି ପକାଇ ରଖାଯାଇଛି। ସେ ଚମକ୍ରାରକୁ ଉଣା ଅଧିକେ ସମସ୍ତେ ମଧ୍ୟ ଅନୁଭବ କରିଛନ୍ତି। ଅତୀତରେ ସମୁଦ୍ର ଅନେକଥର ହନ୍ସ କୋକୋପାମ୍ ହୋଟେଲଠାରୁ ଷ୍ଟର୍ଲିଂ ହୋଟେଲ ପର୍ଯ୍ୟନ୍ତ ଅଞ୍ଚଳରେ ଓ ପେଣ୍ଠକଟା ଅଞ୍ଚଳରେ କୂଳ ଲଂଘିଥିଲେ ମଧ୍ୟ କେବେ ବି ସ୍ୱର୍ଗଦ୍ୱାରଠାରୁ ଚକ୍ରତୀର୍ଥ ମଧ୍ୟରେ କୂଳ ଲଂଘିନାହିଁ। ଏମିତି ଆସ୍ଥା ଓ ବିଶ୍ୱାସର ପୀଠକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭକ୍ତ, ପର୍ଯ୍ୟଟକ ବୁଲିଯାଇଥାନ୍ତି।
ମାତ୍ର ଏହି ମନ୍ଦିରରେ ପ୍ରବେଶ ଟିକେଟ ଲାଗୁ କରିବା ନିମନ୍ତେ ନିଲାମ କରିବା ପାଇଁ ରାଜ୍ୟ ଦେବୋତ୍ତର କମିଶନର ଶ୍ରୀଜଗନ୍ନାଥ ବଲ୍ଲଭ ମଠର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତୀତରେ ଏହି ମନ୍ଦିରରେ ପ୍ରବେଶ ଟିକେଟ ଥିବା ସମୟରେ ନିଲାମ ପରିଚାଳନାରୁ ଦାଦାବଟି ନିଆଯାଉଥିବା ଜଣାପଡିଥିଲା। ଫଳରେ ସାଧାରଣ ଭକ୍ତ ଓ ଯାତ୍ରୀ ଟିକେଟ ପାଇଁ ହଇରାଣ ହେଉଥିଲେ। ଏବେ ମନ୍ଦିରରେ ମହାବୀରଙ୍କ ଦର୍ଶନ ପାଇଁ ତୀର୍ଥଯାତ୍ରୀ ଓ ଭକ୍ତଙ୍କୁ ଫି’ ଦେବାକ ପଡ଼ୁଛି। ମନ୍ଦିରରେ ମିଳୁଥିବା ଦାନ, ଦକ୍ଷିଣା ଓ ହୁଣ୍ଡି ଆଦିର ଅଂଶରୁ ମନ୍ଦିରର ରକ୍ଷଣାବେକ୍ଷଣ କରାଯାଉ। ସରକାର ଏ ବାବଦରେ ମଧ୍ୟ ଅନୁଦାନ ଦେଇ ପାରିବେ। ମାତ୍ର ଠାକୁର ଦର୍ଶନ ନିମନ୍ତେ ପାଇଁ ଟିକେଟ ବ୍ୟବସ୍ଥା ଆଦୌ କରା ନ ଯାଉ ବୋଲି ଦାବି କରିଛନ୍ତି।
ଏହା ପୂର୍ବରୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବଡ଼ଦେଉଳ ପରିସରସ୍ଥିତ କୋଇଲି ବୈକୁଣ୍ଠ ଓ ଅନ୍ୟାନ୍ୟ ସ୍ଥାନକୁ ଯିବା ନିମନ୍ତେ ଭକ୍ତଙ୍କଠାରୁ ମାହାସୁଲ ଅସୁଲ କରୁଛନ୍ତି। ଏହା ସହିତନ୍ଦିର ଅଧୀନରେ ବାହାରେ ଥିବା ଏକଧିକ ପବିତ୍ର ପୀଠକୁ ନିଲାମରେ ଦେଇଛି। ଏହାଫଳରେ ଭକ୍ତମାନେ ସେହିସବୁ ସ୍ଥାନକୁ ଗଲେ ସେମାନଙ୍କଠାରୁ ପ୍ରବେଶ ଫି’ ନିଆଯାଉଛି। ଏବେ ଦେବୋତ୍ତର କମିଶନ ଦରିଆ ମହାବୀର ମନ୍ଦିରରୁ ମଧ୍ୟ ଦର୍ଶନ ଟିକସ ଆଦାୟ ବ୍ୟବସ୍ଥା କରିବାକୁ ବିରୋଧ କରାଯିବା ସହ ଏହାର ପ୍ରତ୍ୟାହାର ପାଇଁ ଦାବି ହୋଇଛି ।