ପୁରୀ: ବଳଭଦ୍ରଙ୍କ ରଥ ଦଉଡି ଛିଣ୍ଡି ଗୁରୁତର ହୋଇଥିବା ସେବକ ନକୁଳ ଭୋଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆରପାରିକୁ ଚାଲିଯାଇଛନ୍ତି। ବାହୁଡାରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ିଯିବାରୁ ନକୁଳଙ୍କ ସମେତ ୭ଜଣ ଆହତ ହୋଇଥିଲେ। ନକୁଳଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁସାରେ ଗତ ୨୮ ତାରିଖ ବାହୁଡ଼ାଯାତ୍ରା ଦିନ ବଳଭଦ୍ରଙ୍କ ତାଳଧ୍ବଜ ଟଣାଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା। ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା। ଫଳରେ ରଥ ଦଉଡ଼ି ଧରିଥିବା ଭୋଇ ସେବକ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଥିଲେ। ତାଙ୍କୁ ତୁରନ୍ତ ଦମକଳ ବାହିନୀର ଗାଡ଼ିରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେଠରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ସେହିଦିନ ଠାରୁ ନକୁଳ ଏମ୍ସର ଆଇସିୟୁରେ ଭର୍ତ୍ତି ଥିଲେ।