ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରସ୍ତୁତ ତିନିରଥ। ରଥାରୂଢ଼ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଭିଡ଼। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ସମସ୍ତଙ୍କର ଅପେକ୍ଷା କେତେବେଳେ ନୀଳକନ୍ଦରରୁ ବଡ଼ାଦାଣ୍ଡକୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ବିଶ୍ୱନିୟନ୍ତାଙ୍କ ଦୁଲର୍ଭ ଦର୍ଶନ। ସେହି ଦିବ୍ୟ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ଭକ୍ତଜନ।
ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ। ସଭିଏଁ ହେବେ ଏକାକାର। ଭକ୍ତଙ୍କ ଏହି ଆବେଗିକ ମୁହୂର୍ତ୍ତର ସାକ୍ଷୀ ପାଇଁ ପାଗ ବି ରହିଛି ବେଶ୍ ଅନୁକୂଳ। କୋଳାହଳରେ ଫାଟିପଡ଼ୁଛି ବଡ଼ଦାଣ୍ଡ। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ୍ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥାରୂଢ଼ ହୋଇ ଚତୁର୍ଦ୍ଧାବିଗ୍ରହ ଯିବେ ଗୁଣ୍ଡିଚା ମନ୍ଦିର। ଅଣସର ପରେ ନବଦିନାତ୍ମକ ଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାବାହୁ। ଆଉ ଦାରୁଦିଅଁଙ୍କ ଆଗମନକୁ ସିଂହଦ୍ୱାରରେ ଅପକ୍ଷୋ କରିରହିଛନ୍ତି ତିନି ରଥ। ଶୁକ୍ରବାର ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି।
ଗୁରୁବାର ସକାଳ ୬ଟା ୨୦ରେ ମଙ୍ଗଳ ଆଳତି, ୭ଟାରେ ଅବକାଶ ପୂଜା ସରି ୭ଟା ୫ରେ ପଟିଦିଅଁ ବାହୁଡ଼ା ବିଜେ କରିଥିଲେ। ୭ଟା ୨୫ରେ ତାଟିଫିଟିବା ପରେ ନିର୍ଦ୍ଧାରିତ ସମୟର ୨୦ ମିନିଟ୍ ପୂର୍ବରୁ ଅର୍ଥାତ୍ ୭ଟା ୪୦ରେ ପରିମାଣିକ ଦର୍ଶନ ଆରମ୍ଭ ହୋଇଥିଲା। ଯେହେତୁ କମ୍ ସଂଖ୍ୟକ ଭକ୍ତ ପରିମାଣିକ ଦର୍ଶନ ଟିକଟ୍ କରିଥିଲେ, ତେଣୁ ୨୦ ମିନିଟ୍ ଅର୍ଥାତ୍ ସକାଳ ୮ଟାରେ ପରିମାଣିକ ଦର୍ଶନ ସରିଥିଲା। ଏହାପରେ ସର୍ବସାଧାରଣ ଦର୍ଶନ ବା ସାହାଣମେଲା ଦର୍ଶନ ଆରମ୍ଭ ହୋଇ ପୂର୍ବାହ୍ଣ ୧୦ଟା ୩୫ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଦର୍ଶନ ବନ୍ଦ କରାଯାଇ ଅନ୍ୟାନ୍ୟ ନୀତି ଚାଲିଥିଲା। ଅପରାହ୍ଣ ୪ଟା ୫ରେ ସକାଳ ଧୂପ ଶେଷ ହେବା ପରେ ୪ଟା ୪୦ରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଥିଲା। ତିନିବାଡ଼ରୁ ତିନିଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ଘଣ୍ଟଘଣ୍ଟି, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡକୁ ବାହାରିଥିଲେ। ଅପରାହ୍ଣ ୪ଟା ୪୫ରେ ଆଜ୍ଞାମାଳ ରଥଖଳାରେ ପହଞ୍ଚିଥିଲା। ପ୍ରଥମେ ବଡ଼ଠାକୁର, ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥରେ ଦଉଡ଼ି ଲଗାଯାଇ ସବୁ ଚକରେ ତେଲ ଦିଆଯାଇଥିଲା। ରଥଟଣା ପାଇଁ ବିଜେ କାହାଳୀ ବାଜିବା ପରେ ସିଂହଦ୍ୱାର ଅଭିମୁଖେ ଗଡ଼ିଥିଲା ତିନିରଥ। ରଥ ଟାଣିଥିଲେ ସୁରକ୍ଷା କର୍ମୀ ଓ ସେବାୟତ।
ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାରରେ ଲାଗିଥିଲା। ସନ୍ଧ୍ୟା ସୁଦ୍ଧା ତିନିରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଯାଇଥିଲା। ପରେ ତିନିରଥକୁ ଫୁଲରେ ସଜାଯାଇଥିବା ବେଳେ ଚାରବନ୍ଧା ଯାଇ ରଥ ଉପରକୁ ସାରଥୀଙ୍କୁ ନିଆଯାଇଥିଲା। ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ଼ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହେବ। ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟକଣ୍ଟ ଏବଂ ସେନାପଟା କାର୍ଯ୍ୟ ଆରମ୍ଭ କରିବେ। ଶୁକ୍ରବାର ସକାଳ ୬ଟାରେ ମଙ୍ଗଳ ଆଳତି ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରାଯାଇ ଅପରାହ୍ଣ ୧ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ହେବେ। ଅପରାହ୍ଣ ସାଢେ଼ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।
ଅନ୍ୟପକ୍ଷରେ, ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ଅତ୍ୟାଧୁନିକ ୨୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ୟାମେରା ଲଗାଯାଇଛି। ଉତ୍ତରା-ପୁରୀ ଏବଂ କୋଣାର୍କ-ପୁରୀ ରାସ୍ତାରେ ବି କ୍ୟାମେରା ରଖିଛି ନଜର। ଓଡ଼ିଶା ପୁଲିସ୍ ଚଳିତବର୍ଷ ପ୍ରଥମଥର ଟ୍ରାଫିକ୍ ସୁପରିଚାଳନା ନିମନ୍ତେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରିଛି। ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୨୦୫ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।