ପୁରୀ: ସୋସିଆଲ ମିଡିଆରେ ପୁରୀ ସ୍ୱର୍ଗଦ୍ୱାରର ଏକ ହୃଦୟସ୍ପର୍ଶୀ ଘଟଣା ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି କାହାଣୀ ବାପା ଓ ପୁଅର ସମ୍ପର୍କ, ଅର୍ଥର ଅହଂକାର ଏବଂ ପିତାମାତାଙ୍କ ନିସ୍ୱାର୍ଥପର ଭଲପାଇବା ଉପରେ ଆଧାରିତ। ଘଟଣାଟି ସତ କି କାଳ୍ପନିକ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଏହା ଅନେକଙ୍କ ଆଖିରେ ଲୁହ ଆଣିଦେଇଛି।
ଅନ୍ତ୍ୟେଷ୍ଟି ପାଇଁ ପୁଅର ତରବରିଆ ଭାବ
ସୂଚନା ଅନୁଯାୟୀ, ଆମେରିକାର ଏକ ବଡ଼ ସଫ୍ଟୱେୟାର କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ ଥିବା ସବ୍ୟସାଚୀ (୩୫) ନିଜ ବାପା ପ୍ରଦୀପ୍ତ ମିଶ୍ରଙ୍କ (୭୫) ଦେହାନ୍ତ ଖବର ପାଇ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ହାତରେ ଦାମୀ ଲାପଟପ୍ ବ୍ୟାଗ୍ ଓ ଆଖିରେ ରେ-ବ୍ୟାନ୍ ଚଷମା ପିନ୍ଧିଥିବା ସବ୍ୟସାଚୀ ବହୁତ ବ୍ୟସ୍ତ ଥିବା ପରି ମନେ ହେଉଥିଲେ। ସେ ସେଠାରେ ଉପସ୍ଥିତ ଥିବା ଫ୍ୟୁନେରାଲ୍ ସର୍ଭିସ୍ ମ୍ୟାନେଜର ତରୁଣଙ୍କୁ କହିଥିଲେ ଯେ, ସନ୍ଧ୍ୟା ୬ଟାରେ ତାଙ୍କର ରିଟର୍ଣ୍ଣ ଫ୍ଲାଇଟ୍ ଅଛି ଏବଂ ପରଦିନ ଏକ ଜରୁରୀ ମିଟିଂ ଥିବାରୁ କାମ ଶୀଘ୍ର ଶେଷ କରିବାକୁ ହେବ।
ବାପା କରିଯାଇଥିଲେ 'ପ୍ରି-ପେଡ୍' ବ୍ୟବସ୍ଥା
ମୁଖାଗ୍ନି ଦେବା ପରେ ସବ୍ୟସାଚୀ ଯେତେବେଳେ ଚେକ୍ ବୁକ୍ ବାହାର କରି ଟଙ୍କା ଦେବାକୁ ଚାହିଁଲେ, ସେତେବେଳେ ତରୁଣ ଯାହା କହିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତରୁଣ କହିଥିଲେ ଯେ, "ସାର୍, ଆପଣଙ୍କୁ କିଛି ଦେବାକୁ ପଡ଼ିବ ନାହିଁ। ଆପଣଙ୍କ ବାପା ୫ ବର୍ଷ ତଳେ ନିଜର ଅନ୍ତ୍ୟେଷ୍ଟି ପାଇଁ ୫୦ ହଜାର ଟଙ୍କା ଆଡଭାନ୍ସ ଜମା କରିଯାଇଛନ୍ତି।" ପ୍ରଦୀପ୍ତ ବାବୁ ଜାଣିଥିଲେ ଯେ ତାଙ୍କ ପୁଅ ବହୁତ ବ୍ୟସ୍ତ, ତେଣୁ ସେ ନିଜ ମୃତ୍ୟୁ ପରେ ପୁଅ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଏ, ସେଥିପାଇଁ ପୂର୍ବରୁ ସବୁ ବ୍ୟବସ୍ଥା କରିଯାଇଥିଲେ।
ହୃଦୟ ବିଦାରକ ଚିଠି
ମ୍ୟାନେଜର ତରୁଣ, ସବ୍ୟସାଚୀଙ୍କ ହାତରେ ତାଙ୍କ ବାପା ଛାଡ଼ି ଯାଇଥିବା ଏକ ଚିଠି ଧରାଇ ଦେଇଥିଲେ। ଚିଠିରେ ଲେଖାଥିଲା, "ପୁଅ, ମୁଁ ଜାଣେ ତୁ ବହୁତ ବ୍ୟସ୍ତ। ମୋ ମୃତ୍ୟୁ ଖବର ଶୁଣି ତୁ ଛୁଟି ଏବଂ ଟିକେଟ୍ ପାଇଁ ଚିନ୍ତିତ ହେବୁ। ତୋର କ୍ୟାରିୟର ଓ ସମୟ ବହୁତ ମୂଲ୍ୟବାନ। ତେଣୁ ମୁଁ ମୋ ମୃତ୍ୟୁର ସମସ୍ତ ବ୍ୟବସ୍ଥା ଆଗୁଆ କରିଦେଇଛି। ମୋର କେବଳ ଗୋଟିଏ ଅନୁରୋଧ, ପିଲାଦିନେ ଯେମିତି ମୁଁ ତୋ ହାତ ଛାଡ଼ିନଥିଲି, ଆଜି ମୁଖାଗ୍ନି ଦେବା ବେଳେ ତୋ ହାତ ଯେମିତି ନ ଥରେ।"
ବାପାଙ୍କ ଚିଠି ପଢ଼ିବା ପରେ ସବ୍ୟସାଚୀଙ୍କ ହାତରୁ ଚେକ୍ ବୁକ୍ ଖସି ପଡ଼ିଥିଲା। ସେ ସେହିଠାରେ ଆଣ୍ଠୁମାଡ଼ି ବସି କାନ୍ଦିବାକୁ ଲାଗିଲେ। କୋଟି କୋଟି ଟଙ୍କା ରୋଜଗାର କରୁଥିବା ପୁଅ ନିଜକୁ ଜଣେ ଭିକାରୀ ମନେ କଲେ। ସେ ନିଜର ରିଟର୍ଣ୍ଣ ଫ୍ଲାଇଟ୍ ବାତିଲ କରି ସାରା ରାତି ଜଳୁଥିବା ଚିତା ପାଖରେ ବସି ରହିଲେ। ଏହି ଘଟଣା ଶିକ୍ଷା ଦେଇଛି ଯେ, ଦୁନିଆରେ ସବୁକିଛି 'ପ୍ରି-ପେଡ୍' ହୋଇପାରେ, କିନ୍ତୁ ବାପା-ମା’ଙ୍କ ଭଲପାଇବା କେବେ ମୂଲ୍ୟ ଦେଇ କିଣାଯାଇପାରେ ନାହିଁ।