ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଶୋଷଣ କରାଯାଉଥିବା ନେଇ ପୁଣି ଏକ ଅଭିଯୋଗ ସାମ୍ନାକୁ ଆସିଛି। କିଛି ଅସାଧୁ ବ୍ୟକ୍ତି ସେବାୟତ ବେଶରେ କିମ୍ବା ପଣ୍ଡିତ ସାଜି ଶ୍ରଦ୍ଧାଳୁଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ପର୍ଯ୍ୟଟକ ନିଜର ଅନୁଭୂତି ବଖାଣିଛନ୍ତି।
ତିଳକ ଓ ପ୍ରସାଦ ନାଁରେ ଜୁଲମ
ଗୌରବ ବର୍ମା ନାମକ ଜଣେ ପର୍ଯ୍ୟଟକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଘଟଣାର ଭିଡିଓ ସେୟାର କରିଛନ୍ତି। ସୂଚନା ମୁତାବକ, ଗୌରବ ବାଇଶି ପାହାଚରେ ଥିବା ରହସ୍ୟମୟ 'ଯମ ଶିଳା' ବିଷୟରେ ଜାଣିବାକୁ ଚାହୁଁଥିଲେ। ଏହି ସମୟରେ ମନ୍ଦିର ବାହାରେ ଜଣେ ବ୍ୟକ୍ତି (ଯିଏକି ପଣ୍ଡିତ ବେଶରେ ଥିଲେ) ତାଙ୍କ କପାଳରେ ତିଳକ ଲଗାଇ ଦେଇଥିଲେ। ଗୌରବ ସ୍ୱଇଚ୍ଛାରେ ୨୦ ଟଙ୍କା ଦେଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜଣକ ୫୦ ଟଙ୍କା ଦାବି କରିଥିଲେ। କେବଳ ସେତିକି ନୁହେଁ, ପରେ ସେ ଜୋରଜବରଦସ୍ତି କିଛି ପ୍ରସାଦ ଗୌରବଙ୍କ ହାତରେ ଧରାଇ ଦେଇ ୧୦୦ ଟଙ୍କା ମାଗିଥିଲେ।
ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ
ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓ ଦେଖିବା ପରେ ଅନେକ ଲୋକ କମେଣ୍ଟ ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେକ ୟୁଜର ଲେଖିଛନ୍ତି ଯେ, 'ତିଳକ ଲଗାଉଥିବା ସମସ୍ତ ବ୍ୟକ୍ତି ପଣ୍ଡିତ ନୁହନ୍ତି, ଏମାନେ ଠକ'। ଆଉ କିଛି ଲୋକ ମତ ଦେଇଛନ୍ତି ଯେ ଏଭଳି ଆଚରଣ ଯୋଗୁଁ ଓଡ଼ିଶାର ନାଁ ବଦନାମ ହେଉଛି। ଏହା ପର୍ଯ୍ୟଟନ ଉପରେ ଖରାପ ପ୍ରଭାବ ପକାଉଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।