ପୁରୀ : ଖରାଦିନେ ବିଦ୍ୟୁତ୍ କାଟ ହେବନି। ରାଜ୍ୟ ସରକାରଙ୍କ ଏହି ଘୋଷଣା କିଭଳି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଛି ତାହାର ବାସ୍ତବତା ଦେଖିବାକୁ ମିଳିଛି ପୁରୀ ସହରରେ। ଆଉ ଶକ୍ତି ବିଭାଗର ଅପାରଗତାକୁ ସାଧାରଣ ଜନତା ନୁହେଁ, ଖୋଦ୍ ରାଜ୍ୟପାଳ ଅଙ୍ଗେ ଲିଭାଇଛନ୍ତି। ପ୍ରାୟ ଘଣ୍ଟାଏ ଧରି ଗଳିରେ ବୁଲିବା ସହ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାର ହିତାଧିକାରୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ଶକ୍ତି ବିଭାଗର ଏଭଳି ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହରବାସୀ। ଆଗକୁ ରଥଯାତ୍ରା। ତା’ ପୂର୍ବରୁ ଯେଉଁଠି ରାଜ୍ୟପାଳଙ୍କୁ ଅନ୍ଧାରରେ ଅଧିକାରୀ ବୁଲାଉଛନ୍ତି ସେଠି ସାଧାରଣ ଭକ୍ତ କେଉଁଭଳି ଦୁର୍ଦ୍ଦଶା ନ ଭୋଗିବେ ବୋଲି ଚର୍ଚ୍ଚା ହେଉଛି।
ତିନିଦିନିଆ ପୁରୀ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ଶନିବାର ଜିଲ୍ଲାରେ ଚାଲିଥିବା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ତେବେ ସନ୍ଧ୍ୟାରେ ଭିଆଇପି ରୋଡସ୍ଥିତ ବୈଷ୍ଣବ ଦେବି ଗଳି ଭିତରେ ରହିଥିବା ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ପାଇଥିବା ହିତାଧିକାରୀଙ୍କ ଘର ପରିଦର୍ଶନ କରିଥିଲେ। ହିତାଧିକାରୀ ରେଣୁବାଳା ପଣ୍ଡା ଓ ରାଧାରାଣୀ ଦେବନାଥଙ୍କ ଘର ବୁଲି ଦେଖିବା ସହ ରାଜ୍ୟପାଳ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ରାଜ୍ୟପାଳଙ୍କର ଏହି ଗସ୍ତ ସମୟରେ ସେହି ଅଞ୍ଚଳରେ ବିଦ୍ୟୁତ୍କାଟ ହୋଇଯାଇଥିଲା। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧକାରମୟ ହୋଇ ରହିଥିଲା ସମ୍ପୃକ୍ତ ଅଞ୍ଚଳ। ରାଜ୍ୟପାଳ ମୋବାଇଲ ଲାଇଟ୍ରେ ହିତାଧିକାରୀଙ୍କ ଘର ପରିଭ୍ରମଣ କରିଥିବା ବେଳେ ବିଦ୍ୟୁତ୍କାଟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟପାଳଙ୍କ ଗସ୍ତ ସମୟରେ ଏଭଳି ବିଦ୍ୟୁତ୍କାଟ ହେବା ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ୍ ବିଭାଗର ଅବହେଳାକୁ ପଦାରେ ପକାଇଛି।