ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଆଜି ଭୋରରୁ ପୁରୀରେ ପହଞ୍ଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତିି। ମନ୍ଦିରରେ ପ୍ରାୟ ୧ଘଣ୍ଟା ପୂଜାର୍ଚ୍ଚନା କରି ପୁଣି ପୁରୀ ରାଜଭବନ ଅଭିମୁଖେ ଯିବେ। ସେଠାରୁ ୧୨ଟା ୧୫ରେ ଭୁବନେଶ୍ବରସ୍ଥିତ ରାଜଭବନ ଅଭିମୁଖେ ଆସିବେ। ଏଠାରେ ସୋମବାର ରାତ୍ରିଯାପନ କରିବେ। କାଲି ଦିନ ୧୧ଟା ୪୫ରେ ସେ ରାଜ୍ୟପାଳ ଭାବେ ଶପଥ ନେବେ ।
ସୂଚନା ଅନୁଯାୟୀ, ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୋରରେ ପୁରୀରେ ପହଞ୍ଚିଥିଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଆସନ୍ତା ୩୧ ତାରିଖରେ (ମଙ୍ଗଳବାର) ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ଏଥିପାଇଁ ଓଡ଼ିଶା ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ। ସେଠାରେ ବି ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିବେ। ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ରାଜ୍ୟପାଳ ତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସାଙ୍ଗରେ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାରବର୍ଗଙ୍କୁ ଆଣୁଛନ୍ତି। ସମସ୍ତେ ଟ୍ରେନ୍ରେ ଏକସଙ୍ଗେ ଝାଡ଼ଖଣ୍ଡରୁ ପୁରୀ ଆସିବେ। ରାଜ୍ୟପାଳଙ୍କୁ ଜେଡ୍+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।