କୃଷ୍ଣପ୍ରସାଦ: ବାତ୍ୟାର ପ୍ରଭାବ ଦୁର୍ବଳ ହେବା ସହ ବଡ଼ ବିପଦ ଟଳିଯାଇଛି ସତ, ହେଲେ କୃଷ୍ଣପ୍ରସାଦବାସୀଙ୍କ ଦୁର୍ଦ୍ଦଶା କିନ୍ତୁ ଟଳିନାହିଁ। ବିଶେଷକରି ଚାଷୀକୂଳଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ଲଗାଣ ବର୍ଷା ଯୋଗୁଁ ଏକର ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ପାଚିଲା ଧାନ ଗଛ ସବୁ ପାଣିରେ ଲୋଟିପଡ଼ିଛି।
ଯେଉଁ ସମୟରେ ଚାଷୀ ଅମଳର ସ୍ୱପ୍ନ ଦେଖୁଥିଲା, ଠିକ୍ ସେହି ସମୟରେ ଲଗାଣ ବର୍ଷା ଉଜାଡ଼ି ଦେଇଛି ତା'ର ବର୍ଷକର ପରିଶ୍ରମ। ଦୀର୍ଘ ସମୟ ଧରି ଧାନ ଫସଲ ପାଣିରେ ବୁଡ଼ି ରହିଲେ ଧାନ କେଣ୍ଡା ପଚିଯିବା ସହ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।
ଅନ୍ୟପଟେ ଚାଷ ପାଇଁ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। ଧାରକରଜ କରି ଚାଷରେ ଲଗାଇଥିବା ଟଙ୍କା କିପରି ଫେରାଇବେ ଏବଂ ପରିବାର କେମିତି ଚଳାଇବେ, ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି। ବର୍ଷକର ଝାଳବୁହା ପରିଶ୍ରମ ଆଖି ଆଗରେ ନଷ୍ଟ ହେବାକୁ ବସିଥିବା ବେଳେ ଏହି ବିପଦ ସମୟରେ ଚାଷୀଙ୍କ ପାଖରେ ଠିଆ ହେବ କିଏ?
କେବେ କ୍ଷତିଗ୍ରସ୍ତ ଚାଷଜମିର ଆକଳନ କରିବ ପ୍ରଶାସନ? କେବେ ମିଳିବ ସରକାରୀ ସହାୟତା? ଫସଲ କ୍ଷତିର ଭରଣା ପାଇଁ ସରକାର କି ପଦକ୍ଷେପ ନେବେ? ଏଭଳି ଅନେକ ପ୍ରଶ୍ନ ଏବେ ଚାଷୀଙ୍କ ମନରେ ଉଙ୍କି ମାରୁଛି। ତେଣୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ କୃଷ୍ଣପ୍ରସାଦ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହ ଚାଷୀଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଦାବି ହେଉଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ନିଜସ୍ୱ ଜମି ନଥାଇ ଅନ୍ୟର ଜମିରେ ଭାଗଚାଷ କରୁଥିବା ଚାଷୀଙ୍କ ଦୁଃଖ କହିଲେ ନସରେ। ଫସଲ ନଷ୍ଟ ହେଲେ ଜମି ମାଲିକ ସରକାରୀ କ୍ଷତିପୂରଣ ପାଇବାର ସୁଯୋଗ ଥିବାବେଳେ ଭାଗଚାଷୀ କିନ୍ତୁ ଅନେକ ସମୟରେ ସହାୟତାରୁ ବଞ୍ଚିତ ହେଉଛନ୍ତି। ଫଳରେ ଚାଷରେ ନିଜର ଅର୍ଥ, ଶ୍ରମ ଓ ସମୟ ଲଗାଇଥିବା ଭାଗଚାଷୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ଏଭଳି ସ୍ଥିତିରେ ଭାଗଚାଷୀଙ୍କୁ କିପରି ସରକାରୀ ସହାୟତା ମିଳିବ, ତାହା ମଧ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। ତେଣୁ ଜମି ମାଲିକଙ୍କ ସହ ଭାଗଚାଷୀଙ୍କ କ୍ଷତିକୁ ମଧ୍ୟ ବିଚାରକୁ ନେଇ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି। ବାତ୍ୟାର ବିପଦ ଟଳିଗଲା, କିନ୍ତୁ ଚାଷୀଙ୍କ ମୁଣ୍ଡରୁ ଚିନ୍ତାର ବାଦଲ ହଟିନାହିଁ। ଏବେ ସମସ୍ତଙ୍କ ନଜର ପ୍ରଶାସନ ଓ ସରକାରଙ୍କ ପଦକ୍ଷେପ ଉପରେ।