କୃଷ୍ଣପ୍ରସାଦ ଥାନା ପକ୍ଷରୁ 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ: ମହିଳା ଓ କିଶୋରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ଥାନା ପକ୍ଷରୁ କିଶୋରୀ ବାଳିକା ଏବଂ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ଚାପମୁକ୍ତ ଜୀବନଯାପନ ଏବଂ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଛି।

ଥାନା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟାରେ କିଶୋରୀ ବାଳିକା, ମହିଳା ଏବଂ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ। ମହିଳା ଓ କିଶୋରୀମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ବିଶେଷ କରି କୌଣସି ଅପରାଧିକ କାର୍ଯ୍ୟକଳାପ ବା ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ନିର୍ଭୟରେ ପୋଲିସକୁ ସୂଚନା ଦେବାକୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଏକ ବିକଶିତ ସମାଜ ଗଠନରେ ବ୍ରତୀ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ସଚେତନତା ବୈଠକରେ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଏସଆଇ ନାରାୟଣ ରେଡି, ପ୍ରଫୁଲ୍ଲ କୁମାର ନାୟକ ଏବଂ ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ବ୍ରଜମୋହନ ଜେନା ପ୍ରମୁଖ ଯୋଗ ଦେଇ ଆଇନରେ ଥିବା ବିଭିନ୍ନ ବ୍ୟବସ୍ଥା, ଦଫା, ଦଣ୍ଡବିଧାନ ଏବଂ ସୁରକ୍ଷା ଅଧିକାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

About The Author: Tapas Ranjan Nanda