ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ

କୃଷ୍ଣପ୍ରସାଦ: ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଖାଲିଥିବା ଶିକ୍ଷକ ପଦବୀ ପୂରଣ ଏବଂ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ତେବେ ଗାଁ ଗାଁରେ ଏବେ କୋଚିଂ ସେଣ୍ଟର ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟରତ ଶିକ୍ଷକମାନେ ଘରୋଇ ଟିଉସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଇ ପାରିବେ ନାହିଁ। କିନ୍ତୁ ଏହି ଆଇନକୁ ବେଖାତିର କରି ସରକାରୀ ଶିକ୍ଷକ ଏବଂ ଅଧ୍ୟାପକମାନେ ନିଜେ କୋଚିଂ ସେଣ୍ଟର ଖୋଲି ବସିଛନ୍ତି।

ମାର୍କ କାଟିଦେବାର ଧମକ

ସରକାରୀ ଶିକ୍ଷକମାନେ କେବଳ କୋଚିଂ ସେଣ୍ଟର ଖୋଲି ନାହାଁନ୍ତି, ବରଂ ନିଜ ପାଖରେ ଟିଉସନ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହେଉଛି। ଆମ କୋଚିଂ ସେଣ୍ଟରରେ ନପଢ଼ିଲେ ପରୀକ୍ଷାରେ ମାର୍କ କମାଇ ଦିଆଯିବ ବୋଲି ଖୋଲାଖୋଲି ଧମକ ମିଳୁଛି। ଫଳରେ ଭୟଭୀତ ହୋଇ ଶିକ୍ଷାର୍ଥୀମାନେ ସେମାନଙ୍କ ପାଖରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଟିଉସନ ନିଶାରେ ଶିକ୍ଷକମାନେ ସ୍କୁଲରୁ ତରବର ହୋଇ ବାହାରି ଆସୁଛନ୍ତି, ଯାହା ଫଳରେ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ବ୍ୟାହତ ହେଉଛି।

ବଢ଼ୁଛି ବେକାରୀ ସମସ୍ୟା

ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା ସରକାରୀ ଶିକ୍ଷକମାନେ ନିଜର ଆର୍ଥିକ ଅବସ୍ଥା ଦ୍ଵିଗୁଣିତ କରୁଥିବା ବେଳେ ଶିକ୍ଷିତ ବେକାର ଯୁବକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ବେକାରୀ ଦୂରୀକରଣ ତଥା ପରିବାର ପୋଷଣ ପାଇଁ ଶିକ୍ଷିତ ଯୁବକମାନେ ଯେଉଁ କୋଚିଂ ସେଣ୍ଟର ଖୋଲିଛନ୍ତି, ସେଠାରେ ପଢ଼ିବାକୁ ପିଲାମାନେ ଭୟ କରୁଛନ୍ତି। ରୋଜଗାର ହରାଉଥିବାରୁ ବାଧ୍ୟ ହୋଇ ଏହି ଶିକ୍ଷିତ ଯୁବକମାନେ ଦାଦନ ଶ୍ରମିକ ସାଜି ରାଜ୍ୟ ବାହାରକୁ କାମ ଅନ୍ୱେଷଣରେ ଚାଲି ଯାଉଥିବା ଦେଖିବାକୁ ମିଳୁଛି।

ପ୍ରଶାସନର ନୀରବତା ଏବଂ ଦାବି

ସରକାରୀ ଶିକ୍ଷକଙ୍କ ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବ୍ଲକ ଶିକ୍ଷାଧିକାରୀ ଏବଂ ବିଭାଗୀୟ କର୍ମଚାରୀମାନେ ନୀରବଦ୍ରଷ୍ଟା ସାଜିଛନ୍ତି। ସଲାସୁତରାରେ ନିୟମକୁ ଅଣଦେଖା କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଆଇନ ଉଲ୍ଲଂଘନ କରୁଥିବା ଟିଉସନ ସେଣ୍ଟରଗୁଡ଼ିକ ଉପରେ ଭିଜିଲାନ୍ସ ଚଢ଼ାଉ କରାଯିବା ଆବଶ୍ୟକ। ନିୟମ ଭାଙ୍ଗୁଥିବା ଶିକ୍ଷକ ଏବଂ ସେମାନଙ୍କୁ ସହଯୋଗ କରୁଥିବା ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବେକାରୀ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି।

About The Author: Tapas Ranjan Nanda