ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି। ଶ୍ରୀଜିଉମାନେ ସ୍ନାନ ବେଦୀରେ ଉପବିଷ୍ଟ ହୋଇ ସାରିଲେଣି। ଶ୍ରୀଜିଉମାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଛି । ଆଉ କିଛି ସମୟ ପରେ ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ନୀତିକାନ୍ତି ଅନୁସାରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ପୂର୍ବରୁ ସୁନାକୁଅ ବି ଶୋଧ ହୋଇ ସାରିଛି। ପୁଣି ହାତୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ନାନବେଦୀ ପ୍ରସ୍ତୁତ ଥିବାବେଳେ ସେହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର।
ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ସ୍ନାନବେଦୀକୁ ଆସିଛନ୍ତି ଜଗତରନାଥ ଶ୍ରୀଜଗନ୍ନାଥ। ଏହା ପରେ ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନାକୂଅରୁ ୧୦୮ ଗଡ଼ୁ ଜଳ ଆଣି ଜଳ ଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ଗରାବଡୁ ସେବକମାନେ ୧୦୮ ଗଡ଼ୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦୀରେ ରଖିବେ। ପୂର୍ବାହ୍ନ ୧୧ଟା ୨୦ରୁ ସ୍ନାନବିଧି ଆରମ୍ଭ କରାଯିବ। ଜଳ ବିଜେ ଓ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିବେ। ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୨ଟା ୪୦ରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହେବ। ଏହି ବେଶ ଥାଇ ଘଣ୍ଟ ଛତା ସକାଳ ଧୂପ ଭୋଗ ସରିବ। କିନ୍ତୁ ମଙ୍ଗଳ ଆଳତି ସରିବା ପରଠାରୁ ନିରବଚ୍ଛିନ୍ନ ଭାବେ ସ୍ନାନବେଦୀ ସମ୍ମୁଖ ତଳ ର୍ୟାମ୍ପରେ ଭକ୍ତମାନେ ଦର୍ଶନ କରିପାରିବେ। ସନ୍ଧ୍ୟା ୬ରୁ ରାତି ସାଢେ ୯ ଅର୍ଥାତ୍ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ଉପରକୁ ଯାଇ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ରାତି ୧୦ଟାରେ ହାତୀବେଶ ମଇଲମ ହେବ। ଏହାପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ସରିବା ପରେ ମହାପ୍ରଭୁ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ। ରାତି ୧୦ଟାରୁ ୧ଟା ମଧ୍ୟରେ ବାହୁଡା ପହଣ୍ଡି ଶେଷ କରାଯିବା ଲାଗି ସମୟ ନିର୍ଘଣ୍ଟ ହୋଇଛି। ଏହାପରେ ସୁନାଚିତା ଓ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯିବ। ଆରମ୍ଭ ହେବ ଅଣସର ନୀତି। ସ୍ନାନ ପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ। ଏହାପରେ ଉପଶମ ପାଇଁ ଚାଲିବ ଉପଚାର। ମହାପ୍ରଭୁ ସୁସ୍ଥ ହୋଇ ଆସନ୍ତା ୧୯ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଜୁନ ୨୦ ତାରିଖରେ ରଥରେ ବସି ଯିବେ ଜନ୍ମବେଦୀକୁ।
ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଅନ୍ୟପକ୍ଷରେ ଘୋଷଯାତ୍ରା ବିଧି ଯୋଗୁ ପ୍ରାୟ ମାସେ ପର୍ଯ୍ୟନ୍ତ ରତ୍ନବେଦୀରେ ଆଉ ଦାରୁବିଗ୍ରହଙ୍କ ଦର୍ଶନ ମିଳିବ ନାହିଁ। ତେଣୁ ଶ୍ରୀମନ୍ଦିରରେ ଶନିବାର ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅପରପକ୍ଷେ ଚାରବନ୍ଧା ଏବଂ ସେନାପଟା ଲାଗି ଯୋଗୁ ଶୁକ୍ରବାର ରାତି ୧୦ଟାରୁ ଶନିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହାପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଭକ୍ତ।