ପୁରୀ : ଆସନ୍ତା ୨୫ ତାରିଖରେ ଦୋଳ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ସକାଳ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଦାରୁବିଗ୍ରହ ଏହି ଦୁର୍ଲଭ ବେଶରେ ସଜେଇ ହେବେ। ତେଣୁ ଏହି ଦୋଳପୂର୍ଣ୍ଣିମା ଏବଂ ଏହା ପୂର୍ବଦିନ ହେବାକୁ ଥିବା ମେଣ୍ଢାପୋଡ଼ି ନୀତି କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ସେଥିଲାଗି ସୋମବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଦୋଳ ପୂର୍ଣ୍ଣିମା ଏବଂ ମେଣ୍ଢାପୋଡ଼ି ନୀତି ନିର୍ଘଣ୍ଟ କରାଯାଇଛି।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମାର୍ଚ୍ଚ ୨୪ ତାରିଖରେ ମେଣ୍ଢାପୋଡ଼ି ନୀତିକୁ ସଅଳ ସାରି ରାତି ୧୨ଟାରେ ରାତ୍ର ପହୁଡ଼ କରାଯିବ। ରାତ୍ର ୩ଟାରେ ଦ୍ୱାର ଫିଟାଯାଇ ଅନ୍ୟାନ୍ୟ ନୀତି ଚାଲିବ। ୨୫ ତାରିଖ ପୂର୍ବାହ୍ନ ୧୦ଟାରେ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ବିମାନକୁ ବିଜେ କରିବେ। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବେଢ଼ା ପରିକ୍ରମା କରିସାରିବା ପରେ ଦୋଳବେଦୀକୁ ବିଜେ କରିବେ। ଏହାପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସରିବା ପରେ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବ। ରାତ୍ର ୯ଟାରେ ଦୋଳବେଦୀ ନୀତି ସାରି ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ଅନ୍ୟାନ୍ୟ ନୀତି ବଢ଼ି ରାତି ୧୦ଟା ୩୫ରୁ ୧୨ଟା ମଧ୍ୟରେ ଦାରୁବିଗ୍ରହଙ୍କ ସୁନାବେଶ ମଇଲମ ବା ଓଲାଗି କରାଯିବ। ଏହାପରେ ଅନ୍ୟ ନୀତି ସମ୍ପନ୍ନ ହୋଇ ରାତ୍ର ୩ଟା ୪୫ରେ ରାତ୍ର ପହୁଡ଼ ହେବା ଲାଗି ନୀତି ନିର୍ଘଣ୍ଟ ହୋଇଛି।
ସେହିପରି ବୈଠକରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ନେଇ ଆଲୋଚନା କରାଯାଇଛି। ନିର୍ଘଣ୍ଟ ସମୟରେ ନୀତିକାନ୍ତି ଚାଲିଲେ, ଦର୍ଶନ ବ୍ୟବସ୍ଥା ବି ଶୃଙ୍ଖଳିତ ହେବ। ତେଣୁ ଏହା ଉପରେ ଗୁରୁତ୍ୱ ଦେବାକୁ ସବୁ ନିଯୋଗଙ୍କୁ ଅବଗତ କରାଯାଇଛି। ଦୈନନ୍ଦିନ ନୀତିକାନ୍ତି ହେଉ ବା ସ୍ୱତନ୍ତ୍ର ପର୍ବପର୍ବାଣି ପାଇଁ ଯେଉଁ ସମୟ ନିର୍ଘଣ୍ଟ କରାଯାଉଛି, ସେହି ସମୟରେ ନୀତି ସମ୍ପନ୍ନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଛତିଶା ନିଯୋଗ ପୂର୍ବରୁ ନୀତି ସବ୍-କମିଟି ବୈଠକ ବସିଥିଲା। ଏଥିରେ ମେଣ୍ଢାପୋଡ଼ି ନୀତି, ଦୋଳପୂର୍ଣ୍ଣିମା ନୀତି ଉପରେ ଆଲୋଚନା କରାଯାଇ ଚୂଡ଼ାନ୍ତ ହୋଇଥିଲା।
ଏହାପରେ ନିର୍ଘଣ୍ଟ ନୀତିକାନ୍ତି ଛତିଶା ନିଯୋଗ ବୈଠକରେ ଉପସ୍ଥାପନ କରାଯାଇ ଅନୁମୋଦନ ଲାଭ କରିଛି। ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ଓ ବରିଷ୍ଠ ସେବାୟତ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଆଗକୁ ଖରା ବଢ଼ିବ। ତେଣୁ ଏହାକୁ ନଜରରେ ରଖି ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେଥିଲାଗି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଶ୍ରଦ୍ଧାଳୁଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଶେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ କାରପେଟ୍ ମଧ୍ୟ ପକାଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।