କବରରେ ସମାଧିନେଲା ବଳଙ୍ଗା ରହସ୍ୟ, ଶୂନ୍ୟରେ ଉଭେଇଗଲେ ଅଦୃଶ୍ୟ ଅଭିଯୁକ୍ତ!

ପୁରୀ : ଶେଷରେ କବର ନେଇଗଲା ବଳଙ୍ଗା ରହସ୍ୟ। ମାଟିତଳେ ଶୋଇଗଲେ ନାବାଳିକା ପୀଡ଼ିତା। ଶୂନ୍ୟରେ ଉଭେଇଗଲେ ବଳଙ୍ଗା ଘଟଣାର ଅଭିଯୁକ୍ତ। ଅନେକ ଅସମାହିତ ପ୍ରଶ୍ନ ଛିଡ଼ା କରି ଅସମୟରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ବନ୍ଧୁ, ପରିଜନ ସାମୂହିକ ଜନାଜା ପାଠ କରି ତାଙ୍କୁ ଚିର ବିଦାୟ ଦେଇଦେଲେ ସିନା ହେଲେ ଏତେ କମ୍‌ ବୟସରେ ଝିଅଟିର ଦେହାନ୍ତକୁ କେହି ଗ୍ରହଣ କରିପାରୁ ନାହାନ୍ତି। ବଳଙ୍ଗା ପୀଡ଼ିତା ଯେଉଁଭଳି ରହସ୍ୟ ଭିତରେ ଆଖି ବୁଜିଲେ ତାହା […]

ପୁରୀ : ଶେଷରେ କବର ନେଇଗଲା ବଳଙ୍ଗା ରହସ୍ୟ। ମାଟିତଳେ ଶୋଇଗଲେ ନାବାଳିକା ପୀଡ଼ିତା। ଶୂନ୍ୟରେ ଉଭେଇଗଲେ ବଳଙ୍ଗା ଘଟଣାର ଅଭିଯୁକ୍ତ। ଅନେକ ଅସମାହିତ ପ୍ରଶ୍ନ ଛିଡ଼ା କରି ଅସମୟରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ବନ୍ଧୁ, ପରିଜନ ସାମୂହିକ ଜନାଜା ପାଠ କରି ତାଙ୍କୁ ଚିର ବିଦାୟ ଦେଇଦେଲେ ସିନା ହେଲେ ଏତେ କମ୍‌ ବୟସରେ ଝିଅଟିର ଦେହାନ୍ତକୁ କେହି ଗ୍ରହଣ କରିପାରୁ ନାହାନ୍ତି। ବଳଙ୍ଗା ପୀଡ଼ିତା ଯେଉଁଭଳି ରହସ୍ୟ ଭିତରେ ଆଖି ବୁଜିଲେ ତାହା ଅନେକଙ୍କ ମନକୁ ଆନ୍ଦୋଳିତ କରିଛି। ବାସ୍ତବରେ ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଲା କେମିତି? ଏହା ପଛରେ ରହିଥିବା ଷଡ଼ଯନ୍ତ୍ର ଉପରୁ ପରଦା ହଟିପାରି ନାହିଁ। ନୂଆ ଗୋପାଳପୁର ଗାଁ କିମ୍ବା ବଳଙ୍ଗା ଅଞ୍ଚଳ ନୁହେଁ ସମଗ୍ର ଓଡ଼ିଶାବାସୀଙ୍କ ମନରେ ବଳଙ୍ଗା ଘଟଣା ଏକ ଅସମାହିତ ପ୍ରଶ୍ନ ହୋଇ ରହିଯାଇଛି।

ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କୁ ଜିଅନ୍ତା ପୋଡ଼ି ମାରିଦେବାକୁ ଉଦ୍ୟମ ଖବର କେବଳ ରାଜ୍ୟ ନୁହେଁ; ଜାତୀୟ ସ୍ତରରେ ହଇଚଇ କରିଥିଲା। ଗୋଟିଏ ପରେ ଗୋଟିଏ ନାରୀ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମକୁ ନେଇ ସରକାର ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ଚିକିତ୍ସାରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ନେଇ ଗଣମାଧ୍ୟମରେ ଖବର ଆସୁଥିଲା। ଏପରିକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିଲ୍ଲୀ ଏମ୍ସକୁ ଯାଇ ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବା ସହିତ ତାଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ବୁଝିଥିଲେ। ଦିଲ୍ଲୀ ଏମ୍ସରେ ପୁଲିସ ମଧ୍ୟ ତାଙ୍କର ତିନିଥର ବୟାନ ରେକର୍ଡ କରିଥିଲା। ସବୁକିଛି ଠିକ୍‌ଠାକ୍‌ ଥିବାବେଳେ ହଠାତ୍‌ ପୀଡ଼ିତା ଆଖି ବୁଜିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା।

ପୀଡ଼ିତାଙ୍କ ଦେହାନ୍ତ ପରେ ଏମିତି କିଛି ପରିସ୍ଥିତି ଉପୁଜିଲା ଯାହାକି ତାଙ୍କ ମୃତ୍ୟୁ ଅନେକ ସନ୍ଦେହ ଛିଡ଼ା କରିଛି। ୧୫ ଦିନ ଧରି ତଦନ୍ତ କରୁଥିବା ପୁଲିସ ହଠାତ୍‌ ସାମାଜିକ ଗଣମାଧ୍ୟମରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ କରିବା ଏହି ସନ୍ଦେହକୁ ଦ୍ୱିଗୁଣିତ କରିଛି। ଯଦି ପୁଲିସ ଜାଣିଥିଲା ଏଥିରେ କାହାରି ସମ୍ପୃକ୍ତି ନାହିଁ ତେବେ କାହିଁକି ପୂର୍ବରୁ ଏହା କରୁ ନ ଥିଲା। କାହାରି ଯଦି ସମ୍ପୃକ୍ତ ନାହିଁ ତେବେ ଜୁଲାଇ ୧୯ ତାରିଖ ସକାଳେ ଭାର୍ଗବୀ ନଦୀବନ୍ଧ କଡ଼ରେ ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଥିଲା କିଏ ଏବଂ ତାଙ୍କୁ ଉଦ୍ଧାର କରିଥିବା ଦୁଃଖିଶ୍ୟାମ ସେନାପତି କ’ଣ ମନଗଢ଼ା କାହାଣୀ କହିଥିଲେ? ଏହି ପ୍ରଶ୍ନ ଆଜି ଅସମାହିତ ହୋଇ ରହିଯାଇଛି।

ସୌମ୍ୟାଶ୍ରୀ ଏବଂ ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ପରେ ଉଭୟଙ୍କ ବାପା ଗଣମାଧ୍ୟମ ସମ୍ମୁଖରେ ସମାନ କଥା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ‘ଝିଅର ମୃତ୍ୟୁକୁ ନେଇ କେହି ରାଜନୀତି ନ କରନ୍ତୁ’। ଝିଅ ମୃତ୍ୟୁରେ ବାପାଙ୍କ ମୁହଁରୁ ଏଭଳି ପ୍ରତିକ୍ରିୟା ଆସିବ କେହି ବିଶ୍ୱାସ କରୁ ନ ଥିବାବେଳେ ଏହାର ବ୍ୟତିକ୍ରମ ଘଟିଛି, ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀ ଏବଂ ସାଧାରଣ ଜନତା। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଝିଅଟି ଭଲ ହୋଇଆସୁଥିବା ଆମେ ଗଣମାଧ୍ୟମରୁ ଖବର ପାଉଥିଲୁ। ହେଲେ ହଠାତ୍‌ କ’ଣ ଏମିତି ହେଲା ତା’ର ମୃତ୍ୟୁ ଖବର ଆମକୁ ସ୍ତବ୍ଧ କରିଦେଇଛି। ଗୋଟିଏପଟେ କେଉଁ ପରିସ୍ଥିତି ଏବଂ କିଏ ତା’ ଦେହରେ ନିଅାଁ ଲଗାଇଛନ୍ତି ନା ଆଉ କିଛି ରହସ୍ୟ ଏହା ପଛରେ ରହିଛି ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ପୀଡ଼ିତା ଆଖିବୁଜିବା ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣିନେଇଛି ବୋଲି କହିଛନ୍ତି ନୂଆ ଗୋପାଳପୁରର ବାସିନ୍ଦା।

About The Author: The Sakala