ପୁରୀ: ସରିଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ନିଜ ଜନ୍ମତିଥିରେ ରତ୍ନବେଦୀରୁ ଓହ୍ଲାଇ ଆସି ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ସ୍ନାନବେଦୀରେ ଦାରୁବିଗ୍ରହଙ୍କ ଗଜାନନ ବା ହାତୀବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ବିଶ୍ୱନିୟନ୍ତା। ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିବା ପରେ ଜ୍ୱରରୁ ଉପଶମ ପାଇଁ ଆଜିଠୁ ଆରମ୍ଭ ହେବ ଉପଚାର। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆଜିଠାରୁ ଆରମ୍ଭ କରିବେ ଗୁପ୍ତସେବା।
ବୁଧବାର ସ୍ନାନବେଦୀରେ ସ୍ନାନ ନୀତି ସମ୍ପନ୍ନ ପରେ ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବାହୁଡା ବିଜେ କରିଥିଲେ ଠାକୁର। ଏହାପରେ କୋଠସୁଆଁସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧିବେ। ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଦେବୀ ସୁଭଦ୍ରା ଭୂବନେଶ୍ୱରୀ ରୂପେ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ସ୍ଥାନିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଅନନ୍ତ ନାରାୟଣ, ଅନନ୍ତ ବାସୁବେ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଓ ନୃସିଂହ ଅଣସର ତାଟି ସମ୍ମୁଖରେ ରହି ପୂଜା ପାଇବେ।
ସେପଟେ ଏହି ଅଣସର ସମୟରେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଇ ନ ଥାନ୍ତି କଳାଠାକୁର। ସେଥିପାଇଁ ଏହି ଅଣସର ସମୟ ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିଯାଏ ବ୍ରହ୍ମଗିରି। ଉଭା ହୁଅନ୍ତି ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ଶିଳାବ୍ରହ୍ମ ରୂପରେ। ତେଣୁ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଛି। ପ୍ରଭୁ ଅଲାରନାଥ ଚତୁର୍ଦ୍ଧାବିଗ୍ରହ ଚତୁର୍ଭୁଜ ନାରାୟଣ ରୂପରେ ଏଠାରେ ଦର୍ଶନ ଦେଇଥାନ୍ତି। ଅବଢ଼ା ବଦଳରେ ଖିରୀ ଭୋଗରେ ତୃପ୍ତ ହେବେ ପରମେଶ୍ୱର ଏବଂ ଭକ୍ତ। ହଜାର ହଜାର ଶ୍ରଦ୍ଧାଳୁ କିପରି ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାରିକଡ କରାଯାଇଛି। ଖରା ପାଇଁ କପଡ଼ା ପକାଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ମନ୍ଦିର ବେଢ଼ା ଚତୁଃପାର୍ଶ୍ବ ସଫେଇ କରାଯାଇଛି।
କୁହାଯାଏ ବର୍ଷଯାକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ଅର୍ଜନ ମିଳିଥାଏ ଅଣସର ସମୟରେ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ। ଅଲାରନାଥ ପୀଠକୁ ନେଇ ବିଭିନ୍ନ କିମ୍ବଦନ୍ତୀ ରହିଛି। ସେଥିମଧ୍ୟ ଗୋଟିଏ କିମ୍ବଦନ୍ତୀ ହେଉଛି ଅଣସର ସମୟରେ ଶ୍ରୀ ଚୈତନ୍ୟ ପୁରୀ ଆସିଥିଲେ। ଜଗନ୍ନାଥଙ୍କ ଗୁପ୍ତ ନୀତି ଚାଲିଥିବାରୁ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଏଥିରେ ଦୁଃଖ ପ୍ରକାଶ କରି ମହୋଦଧିରେ ପ୍ରାଣତ୍ୟାଗ କରିବା ପାଇଁ ଯିବା ସମୟରେ ଶୂନ୍ୟ ବାଣୀ ହୋଇଥିଲ ଯେ, ମୁଁ ବ୍ରହ୍ମଗିରିରେ ଅଲାରନାଥ ରୂପରେ ଦର୍ଶନ ଦେବି। ମତେ ସେହିଠାରେ ହିଁ ଦର୍ଶନ କରିବ। ଏହାପରେ ଚୈତନ୍ୟ ପ୍ରାଣତ୍ୟାଗରୁ ନିବୃତ୍ତ ହୋଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥିଲେ। ସେହିଦିନଠାରୁ କିମ୍ବଦନ୍ତୀ ଅନୁସାରେ ଏହି ଅଣସର ପର୍ବ ଏଠାରେ ପାଳିତ ହୋଇଥାଏ ବୋଲି କୁହାଯାଏ।