ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ SOP ଅନୁଯାୟୀ ଗଣତି

ପୁରୀ: କିଛିଦିନର ବ୍ୟବଧାନ ପରେ ଆଜିଠୁ ପୁଣି ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତିମଣତି । ଆଜି ଏବଂ ଆସନ୍ତାକାଲି ଏହି ଗଣତି କରାଯିବ। ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ ୨୨ ତାରିଖରେ ଏ ସମ୍ପର୍କରେ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ। ସେ କହିଥିଲେ, ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ତଥା କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ତାରିଖ ନିର୍ଦ୍ଧାରଣ କରାଯାଇଛି। ଏହି ଗଣତି ପ୍ରକ୍ରିୟା ସମୟରେ ଭକ୍ତମାନଙ୍କ ଦର୍ଶନ ଏବଂ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସ୍‌ଓପି ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପନ୍ନ ହେବ। ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମାବଳୀ ଓ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅବ୍ୟାହତ ରଖାଯିବ। ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ପ୍ରବେଶ କରିପାରିବେ। ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥା ଭିତରକାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠରୁ ହିଁ ହେବ। ଗଣତିମଣତି ପାଇଁ ପାଖାପାଖି ଅପରାହ୍ଣ ୪ଟାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ । ଗଣତି ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ସମସ୍ତ ସେବାୟତ ତଥା ଶ୍ରଦ୍ଧାଳୁଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି।

About The Author: Madhusudan Das