ପୁରୀ: ଆସନ୍ତା ଜୁନ୍ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ଆଦି ବିଶେଷ ପର୍ବପର୍ବାଣୀ ରହିଛି। ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ ସମ୍ପାଦନ କରାଯିବ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ନବଯୌବନ ଦର୍ଶନ, ରଥଯାତ୍ରା, ବାହୁଡା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଆଦି ନୀତି ନିର୍ଘଣ୍ଟ ହୋଇଛି।
ଛତିଶା ନିଯୋଗ ବୈଠକରେ ରାଜେନ୍ଦ୍ରାଭିଷକଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯାଇ ଏହାକୁ ଅନୁମୋଦନ କରାଯାଇଛି। ଜୁନ୍ ୨୭ରେ ପଡୁଥିବା ରଥଯାତ୍ରା ନୀତିକାନ୍ତି କିପରି ଶୃଙ୍ଖଳିତ ହୋଇପାରିବ ସେ ନେଇ ନୀତି ନିର୍ଘଣ୍ଟ କରାଯାଇଛି। ସେହିଦିନ ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।
ଏହା ପୂର୍ବରୁ ଜୁନ୍ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢେ ୪ଟାରେ ମଙ୍ଗଳାର୍ପଣ ସରି ଭୋର ୫ଟାରୁ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ପାଇଁ ୨ ଘଣ୍ଟା ସମୟ ରହିଛି। ଅର୍ଥାତ୍ ସକାଳ ୭ଟାରେ ପହଣ୍ଡି ସରି ସକାଳ ୯ଟାରେ ମଙ୍ଗଳ ଆଳତି ହେବ। ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ନ ୧ଟା ୪୫ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ସାଢେ ୩ଟାରେ ଛେରାପହଁରା ପରେ ଅପରାହ୍ନ ସାଢେ ୪ଟାରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ସାଢେ ୭ଟାରୁ ରାତି ସାଢେ ୧୦ଟା ଅର୍ଥାତ୍ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ ସେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ସାଢେ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହେବ। ଏହାପରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ।
ସେହିପରି ବୈଠକରେ ଜୁଲାଇ ୫ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ପହଣ୍ଡି ଶେଷ ହେବ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ। ଜୁଲାଇ ୬ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ। ୭ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ। ୮ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି। ଶୃଙ୍ଖଳିତ ରଥଯାତ୍ରା ଏବଂ ଭକ୍ତମାନେ କିପରି ସୁବିଧାରେ ଠାକୁରଙ୍କୁ ଦର୍ଶନ କରିବେ ସେଥିରେ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ବିନୀତ୍ ଅଗ୍ରୱାଲ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ଭାଗ ନେଇଥିଲେ।