୬ ବର୍ଷ ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଲା ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ: ଦୀର୍ଘ ୬ ବର୍ଷ ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ମହାପ୍ରଭୁଙ୍କ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର। ଆଜିଠାରୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶର ସୁଯୋଗ ପାଇଲେ ଭକ୍ତ । ୨୦୨୦ ମସିହାରେ କୋଭିଡ ମହାମାରୀ କାରଣରୁ ଏହାକୁ ବନ୍ଦ ରଖାଯାଇଥିବା ବେଳେ ସୋମବାର ସକାଳ ୭ଟା ୪୫ ମିନିଟରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ପରେ ମନ୍ଦିର ଦ୍ୱାର ଫିଟାଯାଇଛି।

ମନ୍ଦିର ଖୋଲିବା ମାତ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଅଗଣିତ ଭକ୍ତ ମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ପ୍ରଥମ ତିନି ଦିନ ପାଇଁ ଭକ୍ତମାନେ ମାଗଣାରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିପାରିବେ। ଏହା ପରେ ଦର୍ଶନ ନିମନ୍ତେ ୧୦ ଟଙ୍କାର ଟିକେଟ୍ ବ୍ୟବସ୍ଥା ଲାଗୁ କରାଯିବ। ଶ୍ରଦ୍ଧାଳୁମାନଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ପୁରୀ ଏସପି ପ୍ରତୀକ ସିଂହ କହିଛନ୍ତି ଯେ, ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ଟିକେଟ୍ ମାଧ୍ୟମରେ କେବଳ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ସେହିପରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ଦୀର୍ଘ ଦିନ ପରେ ମହାପ୍ରଭୁଙ୍କ ଜନ୍ମବେଦୀ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଏବଂ ଶ୍ରଦ୍ଧାଳୁମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ବହୁ ପ୍ରତୀକ୍ଷାର ଅନ୍ତ ଘଟିଥିବାରୁ ଭକ୍ତ ଓ ସେବାୟତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଆନନ୍ଦ ଖେଳିଯାଇଛି।

About The Author: Madhusudan Das