ଭୁବନେଶ୍ବର : ଗତକିଛି ଦିନ ମଧ୍ୟରେ ରାଜ୍ୟରେ ସାପକାମୁଡା ଜନିତ ମୃତ୍ୟୁ ବଢିବାରେ ଲାଗିଛି। ଗତ ରବିବାର କେନ୍ଦୁଝର କୋଚିଂ ସେଣ୍ଟରରେ ସାପ କାମୁଡାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ବିଭିନ୍ନ ଜିଲ୍ଲାରେ ସାପ କାମୁଡ଼ାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସର୍ପାଘାତ ମୃତ୍ୟୁ ରୋକିବାକୁ ଲୋକମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରିବା ସହ ରାଜ୍ୟର ସବୁ ମେଡିକାଲରେ ଆଣ୍ଟିଭେନମ୍ ମହଜୁଦ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ରାଜ୍ୟରେ ବଢୁଥିବା ସର୍ପାଘାତ ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ଜାରି କରିଛି ଗାଇଡଲାଇନ। ଗାଇଡଲାଇନ ପାଳନ କରିବାକୁ ସବୁ ସିଡିଏମ୍ଓଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି କରି ନିର୍ଦ୍ଦେଶ ଦେଇଛି। ରାଜ୍ୟର ସବୁ ମେଡିକାଲ (ଡିଏଚ୍ଏଚ୍,ଏସ୍ଡିଏଚ୍, ସିଏସ୍ସି, ପିଏଚ୍ସି)ରେ ଔଷଧ ଓ ଟେଷ୍ଟିଂ ମାଗଣାରେ ଉପଲବ୍ଧ ହେବ । ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି। ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ବିଭାଗକୁ ପଠାଇବେ। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ୍ ପ୍ରତି ସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ। ହଷ୍ଟେଲରେ ମୂଷା, ବେଙ୍ଗ ନ ପଶିବେ ସେଥିପ୍ରତି ଧ୍ୟାନ ଦେବାକୁ ବୁଝାଇବେ। ଏବାବଦରେ ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ସଚେତନ କରି ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ଆଣିବା ଓ ଚିକିତ୍ସା କରିବା ନିମନ୍ତେ କହିବେ।
ଅନ୍ୟପଟେ ଅନେକ ସ୍ଥାନରେ ସାପକାମୁଡ଼ା ମୃତ୍ୟୁ ଗୁଣି ଗାରେଡ଼ି ପାଇଁ ଅଧିକ ରହୁଛି। ସଚେତନତା ଅଭାବରୁ ଲୋକେ ଡାକ୍ତରଖାନା ବଦଳରେ ଗୁଣିଆଙ୍କ ପାଖକୁ ନିଜ ପିଲାମାନଙ୍କୁ ନେଇଯାଉଛନ୍ତି। ଯାହାପାଇଁ ପିଲାଙ୍କ ଜୀବନ ଚାଲିଯାଉଛି। ଯାହାକୁ ନେଇ ଲୋକମାନଙ୍କୁ ସଚେତନ କରାଯିବ।ସାଧାରଣ ସଭା ଓ ବୈଠକ ସ୍ଥଳରେ ଲୋକଙ୍କୁ ବିଷାକ୍ତ ସାପ ଓ ସାପକାମୁଡ଼ା ଚିକିତ୍ସା ନେଇ ସେଚତନ କରାଯିବ। ସ୍ଥାନୀୟ ସ୍ନେକ୍ ହେଲ୍ପ ଲାଇନ୍ ସହ ଯୋଗ ସୂତ୍ର ରଖି ବିଷାକ୍ତ ସାପକୁ ଚିହ୍ନଟ କରିବା ସହ ଆବଶ୍ୟକ ସଚେତନତା କରିବାକୁ ସରକାର ଯୋଜନା କରିଛନ୍ତି। କେଉଁ ସାପ ବିଷଧର ଓ କିଏ ବିଷଧର ନୁହେଁ ଲୋକଙ୍କୁ ସେଚତନ କରାଇବାର ବ୍ୟବସ୍ଥା କରିଯାଉଛି। ବିନା ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଯେପରି କୌଣସି ଠାରେ ସାପକାମୁଡ଼ା ରୋଗୀଙ୍କ ଚିକିତ୍ସା ନହୁଏ ସେଥିପାଇଁ ଧ୍ୟାନ ରଖାଯିବ। କାହାକୁ ସାପୁ କାମୁଡ଼ିଥିଲେ ଉକ୍ତ ଲୋକ ମେଡିକାଲ ପହଞ୍ଚିବା ପରେ ଉପସ୍ଥିତ ଡାକ୍ତର ଓ କର୍ମଚାରୀ ଆବଶ୍ୟକ ଚିକିତ୍ସା କରିବେ। ରୋଗୀର ସ୍ୱାସ୍ଥ୍ୟକୁ ନଜରରେ ରଖି ଆବଶ୍ୟକ ସ୍ଥଳେ ଉପରିସ୍ଥ ହସ୍ପିଟାଲକୁ ରେଫର କରିବେ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ କୁହାଯାଇଛି।
ବର୍ଷା ଦିନେ ସାପମାନେ ସକ୍ରିୟ ହୋଇଥାନ୍ତି। ବର୍ଷା ଯୋଗୁଁ ସାପଗାତରେ ପାଣି ପଶିବା ସହିତ ଏହି ସମୟରେ ସାପଙ୍କ ଅଣ୍ଡା ଫୁଟି ସାପ ସଂଖ୍ୟା ବୃଦ୍ଧି ହୋଇଥାଏ। ତେଣୁ ସାପମାନେ ଏଣେ ତେଣେ ବୁଲିବା ସହିତ ନିଜ ବାସସ୍ଥାନ ଛାଡ଼ି ଜନବସତିମୁହାଁ ହୋଇଥାନ୍ତି। ସ୍ନେକ ହେଲ୍ପଲାଇନ୍ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ ପ୍ରାପ୍ତବୟସ୍କଙ୍କ ତୁଳନାରେ ଛାତ୍ରଛାତ୍ରୀ ତଥା ସ୍କୁଲ ପିଲାଙ୍କୁ ସାପ କାମୁଡ଼ିଲେ ଏହା ଅଧିକ ସମ୍ବେଦନଶୀଳ ହୋଇଥାଏ। ଛାତ୍ରଛାତ୍ରୀଙ୍କର ଶାରୀରିକ ଓଜନ ପ୍ରାପ୍ତ ବୟସ୍କଙ୍କ ତୁଳନାରେ କମ୍ ହୋଇଥିବାରୁ ସେମାନେ ସାପ ବିଷ ସହିତ ଅଧିକ ଲଢ଼େଇ କରିପାରି ନ ଥାନ୍ତି। ତେଣୁ ଛୋଟ ପିଲାଙ୍କୁ ସାପ କାମୁଡ଼ିଲେ ତୁରନ୍ତ ବିଷକ୍ରିୟା ହେବା ସହ ବଞ୍ଚିବା ପାଇଁ କମ୍ ସମୟ ମିଳିଥାଏ। ତେଣୁ ଛୋଟପିଲାଙ୍କ କ୍ଷେତ୍ରରେ ଏହାକୁ ଗୁରୁତ୍ୱ ତୁରନ୍ତ ଡାକ୍ତରଖାନାକୁ ନେବାର ଆବଶ୍ୟକତା ରହିଛି। ସାଧାରଣତଃ ଭାବେ ସ୍କୁଲଗୁଡ଼ିକ ଗାଁଠାରୁ କିଛି ଦୂରରେ ରହିଥାଏ। ସେହିପରି ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପାଇଁ ଖାଦ୍ୟ ସାମଗ୍ରୀ ମହଜୁଦ ରହୁଛି। ଏହି ଖାଦ୍ୟ ସାମଗ୍ରୀ ରହୁଥିବା ସ୍ଥାନରେ ମୂଷା ଓ ବେଙ୍ଗ ଆଦି ପ୍ରାଣୀ ରହୁଛନ୍ତି। ମୂଷା ଓ ବେଙ୍ଗ ରହୁଥିବା ସ୍ଥାନକୁ ସାପ ଅଧିକ ମାତ୍ରାରେ ଆସିଥାନ୍ତି। ତେଣୁ ଏହି ବ୍ୟବସ୍ଥା ପ୍ରତି ଯତ୍ନବାନ ହେବା ସହିତ ଏଠାକାର ପରିସରକୁ ସଫାସୁତରା ରଖିବାକୁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଛନ୍ତି। ସେହିପରି ସ୍କୁଲ ପରିସରରେ ବୁଦା ଘାସ ନ ରଖିବାକୁ ସେ କହିଛନ୍ତି।
ସୂଚନା ଥାଉ କି ୨୦୨୧-୨୨ରେ ୮୪୪ ଲୋକଙ୍କର ସାପକାମୁଡ଼ାରେ ମୃତ୍ୟୁ ହୋଇଛି। ବିଗତ ବର୍ଷମାନଙ୍କରେ ମଧ୍ୟ ଏହି ୮୦୦ ଉପରେ ରହୁଛି। ତେଣୁ ଏହି ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସାଜିଛି। ରାଜ୍ୟରେ ପ୍ରାୟ ୮୦ ପ୍ରଜାତିର ସାପ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୮-୧୦ ପ୍ରକାର ବିଷଧର ବା ଜୀବନହାନୀକାରୀ। ଏହି ସାପଙ୍କ ମଧ୍ୟରେ ନାଗ, ତମ୍ପ, ଚିତି, ଅହିରାଜ, ରଣା, ଚନ୍ଦନ ବୋଡ଼ା, ଡାଳୁଆ ବୋଡ଼ା ଓ ଧୁଳିଆ ବୋଡ଼ା ଭଳି ପ୍ରଜାତିର ସାପ ଅତି ମାରତ୍ମକ।