ନୟାଗଡ଼: ପାଠ୍ୟପୁସ୍ତକରେ ମାତ୍ରାଧିକ ତ୍ରୁଟିକୁ ନେଇ ଯୁବ ଓ ଛାତ୍ର ବିଜେଡି ଆହ୍ୱାନରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟ ଦୁର୍ଗାମଣ୍ଡପରେ ଏକ ସଭା ହୋଇଥିଲା। ବିଧାୟକ ସାହୁ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସରକାରଙ୍କ ଦୋମୁହଁ ନୀତିକୁ କଡ଼ା ସମାଲୋଚନା କରିଥିଲେ। ଏଥିରେ ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ଯୋଗଦେଇ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସହ ଖେଳୁଥିବା କହିଥିଲେ। ପିଲାଙ୍କ ପାଠ୍ୟପୁସ୍ତକରେ ୩ ହଜାରରୁ ଊର୍ଦ୍ଧ୍ବ ଭୁଲ ହେବା ରାଜ୍ୟ ସରକାରଙ୍କ ଅପାରଗତା ବୋଲି କହିଥିଲେ। ନବୀନ ସରକାର ରାଜ୍ୟବାସୀଙ୍କୁ ସୁଶାସନ ପ୍ରଦାନ କରୁଥିଲେ। ବିଜେପି ସରକାର ଡବଲ ଇଞ୍ଜିନର ମିଛ ଆଶ୍ୱାସନା ଦେଇ ଲୋକଙ୍କୁ ଡବଲ ଦୁଃଖ ଦେଇ ଚାଲିଛନ୍ତି ବୋଲି କହି କଟାକ୍ଷ କରିଥିଲେ। ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏ ପ୍ରସଙ୍ଗରେ ସରକାର ଜବାବ ରଖିବାକୁ ଆହ୍ୱାନ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ ହେବ ବୋଲି କହିଥିଲେ।
ସେହିଭଳି ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ବିଜେପି ସରକାରଙ୍କୁ ସମାଲୋଚନା କରିବା ସହ ଆଜି ବି ଲୋକେ ନବୀନ ବାବୁଙ୍କ ଶାସନ ପ୍ରତି ଆକୃଷ୍ଟ ବୋଲି କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ କୋମଳମତି ଛାତ୍ରଛାତ୍ରୀଙ୍କ ପ୍ରତି ସରକାର ଅନ୍ୟାୟ କରିଥିବା କହିଥିଲେ। ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଛନ୍ତି, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ପୁଣିଥରେ ନବୀନ ସରକାର ଆବଶ୍ୟକ ବୋଲି କହିଥିଲେ। ରାଜ୍ୟରେ ବିଜେପି ସରକାରଙ୍କ ଏକଛତ୍ରବାଦ ନୀତି ଏବଂ ପ୍ରଶାସନକୁ ମୋହରା କରି ସରକାର ଲୋକଙ୍କୁ ଶୋଷଣ କରୁଥିବା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କହିଥିଲେ। ସରକାର ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଦେଇପାରୁ ନ ଥିବା, ଚାଷୀଙ୍କୁ ସାର ଦେଇପାରୁ ନ ଥିବା ସେ ଅଭିଯୋଗ କରିଥିଲେ।
ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମହିଳା ବିଜେଡି ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାସ ଚନ୍ଦ୍ର କହଁର, ଧର୍ମେନ୍ଦ୍ର ଧଳ, ସଞ୍ଜୁକ୍ତା ପଢ଼ିଆରୀ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ଅମରେଶ୍ୱର ଜେନା, ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ଅମୂଲ୍ୟ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ବିଶାଳ ଶୋଭାଯାତ୍ରା ବାହରି ପୁରୁଣା ଷ୍ଟେଟ୍ ବ୍ୟାଙ୍କ ରୋଡ୍ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ୫ ହଜାରରୁ ଊର୍ଦ୍ଧ୍ବ ମହିଳା, ଛାତ୍ର, ଅଭିଭାବକ ଓ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ। ସେଠାରେ ଯୁବ-ଛାତ୍ର ବିଜେଡି ସଭ୍ୟମାନେ ନିମ୍ୱୁଡ଼ା ନିମ୍ୱୁଡ଼ା ଗୀତରେ ନାଚିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଥିଲେ।