କୋରାପୁଟ: କୋଟିଆକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି । କୋଟିଆ ଉପରେ ଆନ୍ଧ୍ର ପୁଣି ଥରେ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଛି । ଆଜି କୋଟିଆ ଆସୁଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପି ରାଜନ୍ନା ଦୋରା । ମାତ୍ର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମାଡକର ବ୍ରିଜ୍ ନିକଟରେ ରାସ୍ତା ଉପରେ ମାଟି ପକାଯାଇଥିବା ଦେଖିବାକୁ ମିଳିଛି । ତେବେ କିଏ ମାଟି ପକାଇ ବିରୋଧ କରିଛି ସେନେଇ ସୂଚନା ମିଳିପାରିନି ।
ଫାଗୁଣସିନାରୀ ଗାଁକୁ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିବା ଯୋଜନା ଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିଭିନ୍ନ ସମୟରେ କୋଟିଆରେ ପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ପୂର୍ବରୁ ମଧ୍ୟ ଓଡ଼ିଶା ଏହାକୁ ବିରୋଧ କରିଛି ।
ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ୨ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ମାହକାର ନିକଟରେ ରାସ୍ତା ଖୋଳି ଯାତାୟତ ରାସ୍ତାରେ ମାଟି ପକାଇ ଅବରୋଧ କରାଯାଇଛି । ହେଲେ ଏହାକୁ କିଏ ଖୋଳିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପି ରାଜନ୍ନା ଦୋରା ଗସ୍ତ କରି ଆନ୍ଧ୍ର ସରକାରଙ୍କ ‘ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନା’ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା ।