କଟକ: ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ ଏସ୍ସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଟକକୁ ବିଶ୍ୱପ୍ରସିଦ୍ଧ ପାଇଁ ଏସ୍ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଥିଲେ। ନିଜ ଅଭିଭାଷଣରେ ସେ ଆହୁରି ମଧ୍ୟ କହିଥିଲେ ଯେ,ଏସ୍ସିବି ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ । ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି । ଆଜି ଏସ୍ସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ । ମୋ ବିଚାରରେ ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ । ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି । ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ। ଅନ୍ୟମାନେ ଲୋକଙ୍କ ସେବା କରିପାରିବେ, କିନ୍ତୁ ଯନ୍ତ୍ରଣା ଦୂର କରିପାରିବେନି । କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିପାରିବେ । ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢ଼ିଛି। ମାତୃଶିଶୁ ମୃତ୍ୟୁହାର କମିଛି । ଡାକ୍ତରଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ। ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ ସାଇନ୍ସରେ ଜରୁରୀ।ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ୱପୂର୍ଣ୍ଣ। ଔଷଧ ବାହାର କରି ନୋବେଲ ପୁରସ୍କାର ପାଇବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।
ଏହାପରେ ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ସଂଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ ରାଷ୍ଟ୍ରପତି। କମିସନରେଟ ପୁଲିସ ପକ୍ଷରୁ କଟକ ଓ ଭୁବନେଶ୍ବରରେ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯିବା ସହ ସହରକୁ ପୂରା ସୁରକ୍ଷାବଳୟରେ ରଖାଯାଇଛି।