ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦରେ କାମଚଳା ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନ୍ତରୀଣ ବଜେଟ୍ ସେସନ୍କୁ ଆରମ୍ଭ କରିଛନ୍ତି । ନୂଆ ସଂସଦ ଭବନରେ ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ମୁର୍ମୁ । ଏହାପରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି । ପ୍ରଥମ ଅଭିଭାଷଣରେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ନୂଆ ଭାରତ ଏବଂ ଶ୍ରେଷ୍ଠ ଭାରତ ନେଇ ସଂକଳ୍ପ ପାଇଁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଫେବ୍ରୁଆରି ୧ (ଗୁରୁବାର) ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଦେଶରେ ଏବେ ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ବାସ୍ନା ବାରି ହେଉଛି । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି । ଅମୃତକାଳ ଆରମ୍ଭରେ ସଂସଦ କୋଠା ନିର୍ମାଣ କରାଯାଇଛି । ଦେଶରେ ୭୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ ହୋଇଛି । ରାମ ମନ୍ଦିର ନିର୍ମାଣ ସ୍ବପ୍ନ ସତ ହୋଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁଙ୍କୁ ମନେପକାଇଛନ୍ତି । ତାଙ୍କ କାଳଜୟୀ କବିତାକୁ ପ୍ରଥମେ ଓଡିଆ ଓ ପରେ ହିନ୍ଦିରେ ଗାଇ ବୁଝାଇଛନ୍ତି । ଏହି କବିତାର ପଂକ୍ତିରେ କର୍ତ୍ତବ୍ୟର ପରାକାଷ୍ଠା ଏବଂ ରାଷ୍ଟ୍ର ସର୍ବୋପରି ଦେଖିବାକୁ ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।
ଦେଶରେ ଉଜ୍ବଳା ଯୋଜନା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୦ ହଜାର କିମି ଗ୍ୟାସ୍ ପାଇପ୍ ଲାଇନ୍ ବଢ଼ିଛି । ଦେଶବାସୀଙ୍କୁ ଆହୁରି ୫ବର୍ଷ ବିନା ମୂଲ୍ୟରେ ରାସନ ମିଳିବ ବୋଲି ଘୋଷଣା ହୋଇଛି । ୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି । ଦେଶରେ ଚାଷୀଙ୍କ ପାଇଁ ସରକାର ଅନେକ ଜନକଲ୍ୟାଣ ଯୋଜନା ଆଣିଛନ୍ତି । ଏମଏସପି ବାବଦରେ ଚାଷୀଙ୍କ ପାଇଁ ୧୮ ଲକ୍ଷ କୋଟି ଖର୍ଚ୍ଚ ହୋଇଛି । ଏମଏସପି ପ୍ରାୟତଃ ଅଢ଼େଇ ଗୁଣ ବୃଦ୍ଧି କରାଯାଇଛି ।
ଭାରତକୁ ମହାକାଶ ବିଜ୍ଞାନରେ ବଡ଼ ଶକ୍ତି କରିବାକୁ କାମ ଚାଲିଛି । ଚନ୍ଦ୍ରରେ ତ୍ରିରଙ୍ଗା ଉଡିଛି । ଖୁବଶୀଘ୍ର ଗଗନଯାନ ମଧ୍ୟ ମହାକାଶକୁ ଯିବ । ବିକଶିତ ଭାରତର ମହାନ ସ୍ଥାପନା ଚାରୋଟି ସ୍ତମ୍ଭ ଉପରେ ରହିଛି ସେସବୁ ହେଉଛି ଯୁବ ଶକ୍ତି, ମହିଳା ଶକ୍ତି, କୃଷକ ଏବଂ ଗରିବ । ଚଳିତ ଗଣତନ୍ତ୍ର ଦିବସରେ ବିଶ୍ବ ନାରୀ ଶକ୍ତି ଦେଖିଛି । ୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଥମ କରି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ପଦ ମିଳିଛି ଏହାସହ ପ୍ରଥମ କରି ନୌସେନାରେ ମଧ୍ୟ କମାଣ୍ଡର କାର୍ଯ୍ୟ କରୁଛନ୍ତି ନାରୀ ଶକ୍ତି । ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ବଢ଼ିଛି ।