ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କମିସନରେଟ ପୁଲିସ ବ୍ଲୁ ବୁକ୍‌‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରିବା ସହ ତ୍ରିସ୍ତରୀୟ ସୁରକ୍ଷାକୁ କଡ଼ାକଡ଼ି କରିଛି। ବିମାନବନ୍ଦର, ରାଜଭବନ, କଟକ ଓ ଭୁବନେଶ୍ୱରରେ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରୁଟ୍‌‌ଲାଇନ୍‌‌, କାର୍‌‌କେଡ୍‌‌, ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦିଆଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୯୭ଜଣ […]

ଭୁବନେଶ୍ୱର: ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କମିସନରେଟ ପୁଲିସ ବ୍ଲୁ ବୁକ୍‌‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରିବା ସହ ତ୍ରିସ୍ତରୀୟ ସୁରକ୍ଷାକୁ କଡ଼ାକଡ଼ି କରିଛି। ବିମାନବନ୍ଦର, ରାଜଭବନ, କଟକ ଓ ଭୁବନେଶ୍ୱରରେ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରୁଟ୍‌‌ଲାଇନ୍‌‌, କାର୍‌‌କେଡ୍‌‌, ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦିଆଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୯୭ଜଣ ଅଧିକାରୀ ପୂରା ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ। ଏଥିସହ ୧୨ଜଣ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍‌‌ସ୍ପେକ୍ଟର, ୧୨୦ ଏସ୍‌‌ଆଇ/ଏଏସ୍‌‌ଆଇ, ୧୬୦ ଟ୍ରାଫିକ ପୁଲିସ, ୧୫୦ ହୋମ୍‌‌ଗାର୍ଡ ଓ ୨ ୟୁନିଟ୍‌‌ ଏସ୍‌‌ଟିୟୁ, କୁଇକ୍‌‌ ରିସ୍ପନ୍ସ ୟୁନିଟ୍‌‌ ଓ ଏସ୍‌‌ଓଜି ଯବାନଙ୍କୁ ମୁତୟନ କରାଯିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ୱରରୁ କଟକ ଯାଏଁ ଗତକାଲି କାରକେଡ୍‌‌ ରିହର୍‌‌ସାଲ୍‌‌ କରାଯାଇଥିଲା। ଏଥିରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାସ ଓ କଟକ ଡିସିପି ପିନାକ ମିଶ୍ର ଉପସ୍ଥିତ ରହି ମନିଟରିଂ କରିଥିଲେ। ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମସ୍ଥଳୀରେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରପତି ଯିବାର ଦୁଇଘଣ୍ଟା ପୂର୍ବରୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ କରାଯିବ। ଗାଡ଼ି ଚଳାଚଳ ସୁଗମ କରିବା ଲାଗି ଟ୍ରାଫିକ ନିୟନ୍ତ୍ରଣ ଉପରେ ଫୋକସ୍‌‌ ଦିଆଯାଇଛି।

ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିବେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଲାଗି ଦ୍ରୌପଦୀ ମୁର୍ମୁ କଟକ ଆସୁଛନ୍ତି। ଦିନ ତମାମ କଟକରେ ରହି ରାଷ୍ଟ୍ରପତି ୭ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଶୈଳବାଳା ମହାବିଦ୍ୟାଳୟ ପରିସରରେ ଥିବା ମଧୁ ସଂଗ୍ରହାଳୟ ପରିଦର୍ଶନ କରିବେ। ପରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ବୁଲିବାକୁ ଯିବେ। ପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ସମାରୋହର ଉଦ୍‌‌ଯାପନୀ ଉତ୍ସବରେ ଯୋଗଦେବେ। ସେଠାରୁ ନୂଆକରି ପ୍ରତିଷ୍ଠା ହୋଇ ଥିବା ନ୍ୟାୟିକ ସଂଗ୍ରହାଳୟ ପରିଦର୍ଶନ କରିବେ। ପରେ ରାଷ୍ଟ୍ରପତି କଟକ ଏସସିବିର ବାର୍ଷିକ ଉତ୍ସବରେ ଯୋଗ ଦେବେ। ଏସସିବି ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ମହାମହିମ। ପରଦିନ ଅର୍ଥାତ୍‌‌ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋ ଦାସବାଟିଆରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ ବୋଲି ସୂଚନା ମିଳିଛି।

About The Author: The Sakala