ଭୁବନେଶ୍ୱର: ରାଜ୍ୟବାସୀ ଭାବିଥିଲେ ସେମାନଙ୍କୁ ମାଗଣାରେ ମିଳିବ ୩୦୦ ୟୁନିଟ୍ ବିଜୁଳି। କିନ୍ତୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ସେମାନଙ୍କ ଆଶାକୁ ଭାଙ୍ଗିଦେଇଛି। ବିଜୁଳି ଯୋଗାଇବା ଲାଗି ସରକାର ଯେଉଁସବୁ ସର୍ତ୍ତ ରଖିଛନ୍ତି, ତାହାକୁ ଦେଖି ଉପଭୋକ୍ତା ପଛଘୁଞ୍ଚା ଦେବା ଆରମ୍ଭ କରିଦେଇଛନ୍ତି। ଏହି ଯୋଜନାରେ ସୌର ପ୍ୟାନେଲ ଲାଗିବ, ବିଜୁଳି ବିଲ୍ ହ୍ରାସ ପାଇବ। ଯୋଜନାର ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ପରେ ପରେ ରାଜ୍ୟ ସରକାର ମଧ୍ୟ ଆର୍ଥିକ ସହାୟତା ଦେବା ପାଇଁ ହାତ ବଢ଼ାଇଲେ। କିନ୍ତୁ ଏହା ଲୋକଙ୍କୁ ଆକୃଷ୍ଠ କରିପାରୁ ନାହିଁ। ବିଶେଷକରି ପିଏମ୍ ସୂର୍ଯ୍ୟଘରକୁ ନେଇ ଗ୍ରାମାଞ୍ଚଳରେ ଆଦର ବଢ଼ୁ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସବ୍ସିଡି ଘୋଷଣା ପରେ ବି ଉପଭୋକ୍ତାଙ୍କ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ପରିଲକ୍ଷିତ ହୋଇପାରି ନାହିଁ।
ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଜାନୁଆରୀ ସୁଦ୍ଧା ପ୍ରାୟ ୮୦ ହଜାର ଲୋକ ଆବେଦନ କରିଥିବା ବେଳେ ସେଥିରୁ ମାତ୍ର ୧୧୪୧ ଆବେଦନକାରୀ ଉପଭୋକ୍ତା ହୋଇଥିଲେ। ତେବେ ଜାନୁଆରୀ ମାସରେ ରାଜ୍ୟ କ୍ୟାବିନେଟ୍ ଅତିରିକ୍ତ ସବ୍ସିଡି ଘୋଷଣା କରିବା ପରେ ଆବେଦନକାରୀଙ୍କ ସଂଖ୍ୟା ୧ ଲକ୍ଷରେ ପହଞ୍ଚିଥିଲା। କିନ୍ତୁ ଆଉ ପ୍ରାୟ ୧୫୦୦ ଆବେଦନକାରୀ ନିଜ ଘର ଉପରେ ସୌର ପ୍ୟାନେଲ ଲଗାଇଛନ୍ତି। ହାତରୁ ଅନ୍ୟୂନ ୭୦/୮୦ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ଲୋକେ ରାଜିନଥିବାରୁ ରାଜ୍ୟ ସରକାର ନିଜ ହାତରୁ ଅତିରିକ୍ତ ସବ୍ସିଡି ଘୋଷଣା କଲେ। କିନ୍ତୁ ତାହା ଫଳପ୍ରଦ ହେଉଥିବା ଭଳି ଜଣାପଡୁ ନାହିଁ। ଅଦ୍ୟାବଧି ଯେତେ ସୌର ପ୍ୟାନେଲ ବସିଛି ସେଥିରୁ ପ୍ରାୟ ୫୦% ରାଜଧାନୀରେ ରହିଯାଇଛି। ଅନ୍ୟ ଜିଲ୍ଲା ମୁଖ୍ୟତଃ ଗ୍ରାମାଞ୍ଚଳରେ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ୁନାହିଁ।
ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୨୪-୨୫ରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଉପକୃତ ହୋଇଥିବା ପରିବାର ସଂଖ୍ୟା ହେଉଛି ୨୭୪୦। ସେଥିରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ଉପକୃତ ହୋଇଛନ୍ତି ୧୦୮୦ ପରିବାର। ଏହା ପଛକୁ ୨୨୫ ହିତାଧିକାରୀଙ୍କ ସହ କଟକ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ସୁନ୍ଦରଗଡ଼ରେ ୧୭୯, ଗଞ୍ଜାମରେ ୧୬୦, ବଲାଙ୍ଗିରରେ ୧୨୨, ବରଗଡ଼ରେ ୧୧୨ ଜଣ ଏହି ଯୋଜନାରେ ହିତାଧିକାରୀ ଅଛନ୍ତି। ୯ ଜିଲ୍ଲାରେ ହିତାଧିକାରୀଙ୍କ ସଂଖ୍ୟା ୫୦ରୁ କମ୍ ଥିବା ବେଳେ ଅନେକ ଜିଲ୍ଲାରେ ହିତାଧିକାରୀଙ୍କ ସଂଖ୍ୟା ୧୦ରୁ କମ୍ ରହିଛି। ନବରଙ୍ଗପୁରରେ କେହି ସଂଯୋଗ ନେଇ ନଥିବା ବେଳେ କନ୍ଧମାଳରେ ଜଣେ, ମାଲକାନଗିରିରେ ୨ ଜଣ, ବୌଦ୍ଧ ଓ ଦେବଗଡ଼ରେ ୬ ଜଣ ଲେଖାଏଁ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସଂଯୋଗ ନେଇଛନ୍ତି। କିଛି ଜିଲ୍ଲାରେ ଆବେଦନକାରୀଙ୍କ ସଂଖ୍ୟା ୧୦ ହଜାର ଥିଲେ ମଧ୍ୟ ହିତାଧିକାରୀଙ୍କ ସଂଖ୍ୟା ୨ ଶହ ଟପୁ ନାହିଁ।
ଏହି ଯୋଜନାରେ ସବ୍ସିଡି ବାବଦକୁ କେନ୍ଦ୍ର ସରକାର ୧୩,୭୫,୧୩,୨୮୦ ଟଙ୍କା ଓଡ଼ିଶାକୁ ପ୍ରଦାନ କରିଛନ୍ତି। ଅପରପକ୍ଷେ ଗ୍ରାହକଙ୍କୁ ଅତିରିକ୍ତ ସବ୍ସିଡି ପ୍ରଦାନ ପାଇଁ ରାଜ୍ୟ ସରକାର ୩ ବର୍ଷ ନିମନ୍ତେ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ପ୍ରକଳ୍ପ ସ୍ଥାପନ ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ଅନୁସାରେ ଅଧିକାଂଶ ଆବେଦନ ସହରାଞ୍ଚଳରୁ ଆସୁଛି। ଗ୍ରାମାଞ୍ଚଳରେ ଆବେଦନକାରୀଙ୍କ ସଂଖ୍ୟା ବହୁତ କମ୍। ଯେଉଁମାନେ ଆବେଦନ କରିଥିଲେ ଖର୍ଚ୍ଚାନ୍ତ ହେବା ଭୟରେ ସେମାନେ ସଂଯୋଗ ନେଉ ନାହାନ୍ତି। ତେବେ ରାଜ୍ୟ ସରକାର ସବ୍ସିଡି ଦେବା ଆରମ୍ଭ କରିବା ପରେ ହିତାଧିକାରୀଙ୍କ ସଂଖ୍ୟାରେ କିଛିଟା ଉନ୍ନତି ଆସିଛି। ହେଲେ ଗ୍ରାମାଞ୍ଚଳରେ ଏହା ଆଦୃତ ହୋଇପାରୁ ନାହିଁ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ଭାରତ ସରକାର ୧ କିଲୋୱାଟ୍ ପାଇଁ ୩୦ ହଜାର ଟଙ୍କା ସବ୍ସିଡି ଦେଉଥିବା ବେଳେ ଦୁଇ କିଲୋୱାଟ୍ ପାଇଁ ୬୦ ହଜାର ଟଙ୍କା ଏବଂ ତିନି କିଲୋୱାଟ୍ ପାଇଁ ୭୮ ହଜାର ଟଙ୍କା ସବ୍ସିଡି ମିଳୁଛି। ଯୋଜନାକୁ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ନିଜ ହାତରୁ କିଲୋୱାଟ୍ ପିଛା ୨୫ ହଜାର ଟଙ୍କା ହିସାବରେ ଦୁଇ କିଲୋୱାଟ୍ ପର୍ଯ୍ୟନ୍ତ ଏବଂ ତୃତୀୟ କିଲୋୱାଟ୍ ପାଇଁ ଆଉ ୧୦ ହଜାର ଟଙ୍କା ଅତିରିକ୍ତ ସବ୍ସିଡି ପ୍ରଦାନ କରିବେ। ସାଧାରଣତଃ ନିମ୍ନ ଓ ମଧ୍ୟବିତ୍ତ ପରିବାର ୧ କିମ୍ବା ୨ କିଲୋୱାଟ୍ କ୍ଷମତାର ସୌର ପ୍ୟାନେଲ ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ସେମାନଙ୍କ ପାଇଁ ସରକାର ଅଧିକ ସବ୍ସିଡି ବ୍ୟବସ୍ଥା କରିଛନ୍ତି। ହେଲେ ସେହି ବର୍ଗର ଲୋକଙ୍କୁ ଆକୃଷ୍ଠ କରିବାରେ ଯୋଜନା ସଫଳ ହୋଇପାରୁ ନାହିଁ।