ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ +୨ ପରୀକ୍ଷା ବୁଧବାର ଶେଷ ହୋଇଛି। ପରୀକ୍ଷାରେ ସମୁଦାୟ ୬୪୯ ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ିଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଠାରୁ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ଓ ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୨ତାରିଖରୁ ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ପ୍ରାୟ ୬୫୦୦ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖିବାକୁ ନିୟୋଜିତ ହୋଇଛନ୍ତି। ସେହିପରି ଏପ୍ରିଲ ୪ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪ହଜାର ଶିକ୍ଷକ ଶିକ୍ଷୟତ୍ରୀ ଖାତାଦେଖା କାର୍ଯ୍ୟରେ ନିୟୋଜିତ ହେବେ। ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଉଭୟ ଅନ୍ଲାଇନ ଓ ଅଫ୍ଲାଇନରେ ଖାତାଦେଖା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍ଲାଇନରେ ହେବ। ନିର୍ଦ୍ଧାରିତ ସମୟ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ସାରି ମେ ୧୫ ତାରିଖ ମଧ୍ୟରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ପ୍ରକାଶ କରିଛନ୍ତି।
ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଏବଂ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି। କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦ଜଣ ପରୀକ୍ଷାର୍ଥୀ ଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମୋଟ ଛାତ୍ରଙ୍କ ମଧ୍ୟରୁ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି।
ପଦାର୍ଥ ବିଜ୍ଞାନରେ ମିଳିବ ଗ୍ରେସ୍ ମାର୍କ
ପଦାର୍ଥ ବିଜ୍ଞାନ ପରୀକ୍ଷା ପ୍ରଶ୍ନପ୍ରତ୍ରରେ ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଯାଞ୍ଚ କରି ଚଏସ୍ ଡେଫିସିଟ୍ ବା ବିକଳ୍ପ ଅଭାବ ଥିବା ପରିଷଦ ଜାଣିବାକୁ ପାଇଥିଲା। ଯେଉଁ ଛାତ୍ରଛାତ୍ରୀମାନେ ସେହି ପ୍ରଶ୍ନକୁ ଲେଖିଥିବେ ବା ଲେଖିବାର ପ୍ରୟାସ କରିଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୧୯ ମାର୍କ ଗ୍ରେସ୍ ଦିଆଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ପ୍ରକାଶ କରିଛନ୍ତି। ହେଲେ ପ୍ରଶ୍ନପତ୍ର ସିଲାବସ୍ ବାହାରୁ ଆସିଥିବାରୁ ଅଯଥା ସମୟ ଅପଚୟ ନ କରିବା ପାଇଁ ବହୁ ପରୀକ୍ଷାର୍ଥୀ ଉତ୍ତର ଲେଖିନାହାନ୍ତି। ତେଣୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ଦେବାପାଇଁ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ଦାବି କରୁଛନ୍ତି।