କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ: କଟକର ସିଡିଏ ସେକ୍ଟର-୧୦ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ଚିନ୍ମୟ ସାହୁ। ତେବେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ଅନ୍ୟ କିଛି ଛାତ୍ର ତାଙ୍କୁ ପୂର୍ବରୁ ଧମକ ଦେଉଥିଲେ ବୋଲି ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ଦିନ ହଷ୍ଟେଲ ଭିତରେ ଥିବା ଏକ ଛାତର ଫ୍ୟାନରୁ ଚିନ୍ମୟ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ଚିନ୍ମୟଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ଦିନ କଲେଜର ସଂଗ୍ରାମ ନାମକ ଜଣେ ଶିକ୍ଷକ ତାଙ୍କୁ ଫୋନ୍ କରି ପୁଅର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କହିବା ସହ ତୁରନ୍ତ କଲେଜ ଆସିବାକୁ କହିଥିଲେ। ସେ ବାରମ୍ବାର ପୁଅ ସହ ଫୋନରେ କଥା ହେବାକୁ ଅନୁରୋଧ କରିଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ତାଙ୍କୁ କଥା କରାଇ ନଥିଲେ। ପରିବାର ଲୋକେ କଲେଜରେ ପହଞ୍ଚିବା ବେଳକୁ ପୁଅକୁ ଡାକ୍ତରଖାନା ନିଆଯାଇଥିବା ସେମାନଙ୍କୁ କୁହାଯାଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, କିଛି ଦିନ ପୂର୍ବରୁ ହଷ୍ଟେଲର କିଛି ଛାତ୍ର ମାଡ଼ ମାରିବାକୁ ଧମକ ଦେଉଥିବା କଥା ଚିନ୍ମୟ ତାଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ବାପା ତାଙ୍କୁ ଉପଦେଶ ମଧ୍ୟ ଦେଇଥିଲେ। ହଷ୍ଟେଲର ପ୍ରାୟ ୨୫ ଜଣ ଛାତ୍ର ମିଶି ତାଙ୍କୁ ଆକ୍ରମଣ କରିଥିବା ନେଇ ବାପା ଏବେ ଦୃଢ଼ ସନ୍ଦେହ ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ମୃତ ଛାତ୍ରଙ୍କ ପରିବାର ଲୋକେ ସିଡିଏ ଫେଜ୍-୨ ମଡେଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାର ଟିକିନିଖି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପଛରେ ଥିବା ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପରିବାର ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

About The Author: Madhusudan Das