ଉତ୍କଳକୁ ସଂକଟ ‘ସଂଗତୀକରଣ’ : କମିବ ୧୭ ପ୍ରାଧ୍ୟାପକ ଓ ୨୪ ସହଯୋଗୀ ପ୍ରାଧ୍ୟାପକ ପଦ

ଭୁବନେଶ୍ୱର : ଶ୍ରୀ ହରାଇବ ରାଜ୍ୟର ପ୍ରଥମ ତଥା ସର୍ବପୁରାତନ ବିଶ୍ୱବିଦ୍ୟାଳୟ ‘ଉତ୍କଳ’। ଶୈକ୍ଷିକ ପ୍ରକ୍ରିୟା ଗୁରୁତର ପ୍ରଭାବିତ ହେବ। ଏପରିକି, ଗବେଷଣା ମଧ୍ୟ ବାଟବଣା ହେବାର ଆଶଙ୍କା ପାଇଛି। କାରଣ ଅଧାରୁ ଅଧିକ ଅଧ୍ୟାପକ ପଦ ଖାଲି ପଡ଼ିଥିବା ବେଳେ ସଂଗତୀକରଣ (ରେସନାଲାଇଜେସନ୍‌) ନାମରେ ଆହୁରି ପ୍ରଧ୍ୟାପକ ଓ ସହଯୋଗୀ ପ୍ରାଧ୍ୟାପକ ପଦ ହରାଇବାକୁ ଯାଉଛି ଏହି ଐତିହ୍ୟସଂପନ୍ନ ବିଶ୍ୱବିଦ୍ୟାଳୟ। ୧୭ଟି ପ୍ରାଧ୍ୟାପକ ସମେତ ୨୪ଟି ସହଯୋଗୀ ପ୍ରାଧ୍ୟାପକ ପଦ କାଟିବାକୁ ଷଡ଼୍‌ଯନ୍ତ୍ର ହେଉଥିବା ଅଭିଯୋଗ […]

ଭୁବନେଶ୍ୱର : ଶ୍ରୀ ହରାଇବ ରାଜ୍ୟର ପ୍ରଥମ ତଥା ସର୍ବପୁରାତନ ବିଶ୍ୱବିଦ୍ୟାଳୟ ‘ଉତ୍କଳ’। ଶୈକ୍ଷିକ ପ୍ରକ୍ରିୟା ଗୁରୁତର ପ୍ରଭାବିତ ହେବ। ଏପରିକି, ଗବେଷଣା ମଧ୍ୟ ବାଟବଣା ହେବାର ଆଶଙ୍କା ପାଇଛି। କାରଣ ଅଧାରୁ ଅଧିକ ଅଧ୍ୟାପକ ପଦ ଖାଲି ପଡ଼ିଥିବା ବେଳେ ସଂଗତୀକରଣ (ରେସନାଲାଇଜେସନ୍‌) ନାମରେ ଆହୁରି ପ୍ରଧ୍ୟାପକ ଓ ସହଯୋଗୀ ପ୍ରାଧ୍ୟାପକ ପଦ ହରାଇବାକୁ ଯାଉଛି ଏହି ଐତିହ୍ୟସଂପନ୍ନ ବିଶ୍ୱବିଦ୍ୟାଳୟ। ୧୭ଟି ପ୍ରାଧ୍ୟାପକ ସମେତ ୨୪ଟି ସହଯୋଗୀ ପ୍ରାଧ୍ୟାପକ ପଦ କାଟିବାକୁ ଷଡ଼୍‌ଯନ୍ତ୍ର ହେଉଥିବା ଅଭିଯୋଗ ହୋଇଛି।

ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍କୁଲ ବ୍ୟବସ୍ଥା ଲାଗୁ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ସବୁ ବିଶ୍ୱବିଦ୍ୟାଳୟରୁ କିଛି ପଦ ଉଚ୍ଛେଦ କରି ଅନ୍ୟ ବିଶ୍ୱବିଦ୍ୟାଳୟରେ ପୂରଣ କରାଯିବ। ଏଥିପାଇଁ ଉଚ୍ଚଶିକ୍ଷା ପରିଷଦ ୪ଜଣ କୁଳପତିଙ୍କୁ ନେଇ ଏକ କମିଟି ଗଠନ କରିଛି। ଛାତ୍ରଛାତ୍ରୀ ଅନୁପାତକୁ ନେଇ ଶିକ୍ଷକ ପଦ ସୃଷ୍ଟି କରାଯାଇଥିଲା। ବର୍ଷବର୍ଷ ଧରି ୫୫ ପ୍ରତିଶତରୁ ଅଧିକ ପଦ ଖାଲି ପଡ଼ିଛି। ଏହାସତ୍ତ୍ବେ ପଦ ହ୍ରାସ ପାଇଁ ସୁପାରିଶ କରିବାକୁ ଏହି ୪ ଜଣିଆ କମିଟି କିପରି ପ୍ରସ୍ତାବ ଦେଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି କମିଟି ଗୋଟିଏ ପିଜି ବିଭାଗ ପାଇଁ ଜଣେ ପ୍ରାଧ୍ୟାପକ, ୨ଜଣ ସହଯୋଗୀ ପ୍ରାଧ୍ୟାପକ ଓ ୨ଜଣ ସହକାରୀ ପ୍ରାଧ୍ୟାପକ ପଦ ନିୟମ ଲାଗୁ କରୁଛନ୍ତି। ଫଳରେ କୌଣସି ସ୍ପେସିଆଲାଇଜେସନ୍‌ ପେପର୍‌ ନେବାର ସୁଯୋଗ ପାଇବେ ନାହିଁ ଛାତ୍ରଛାତ୍ରୀ। ଅନୁରୂପ ଭାବେ ସ୍ନାତକ (ୟୁଜି) ପାଠ୍ୟକ୍ରମ ପଢ଼ାଇବାକୁ କେବଳ ୩ଜଣ ସହକାରୀ ପ୍ରାଧ୍ୟାପକ ରହିବାର ପ୍ରାବଧାନ କରାଯାଉଛି। ବିଶ୍ୱବିଦ୍ୟାଳୟରେ ସମ୍ପ୍ରତି ୪୬ଟି ମଞ୍ଜୁରୀପ୍ରାପ୍ତ ପ୍ରାଧ୍ୟାପକ ପଦ ରହିଛି। ବିଧାନସଭା ତଥ୍ୟ ଅନୁଯାୟୀ, ମାତ୍ର ୧୦ ଜଣ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି। ହେଲେ ସଂଗତୀକରଣ ପ୍ରକ୍ରିୟାରେ ପ୍ରାଧ୍ୟାପକ ପଦ ୨୯କୁ କମାଇବା ପାଇଁ ସୁପାରିଶ କରାଯାଇଥିବା ଜଣାପଡ଼ିଛି। ସେହିପରି ୭୫ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରାଧ୍ୟାପକ ପଦ ମଧ୍ୟରୁ ମାତ୍ର ୩୦ଜଣ କାର୍ଯ୍ୟରତ ଅଛନ୍ତି। ଏହି ପଦ ସଂଖ୍ୟା ମଧ୍ୟ ୫୧କୁ କମାଇବାକୁ ପ୍ରସ୍ତାବ ରହିଛି।
ସଂଗତୀକରଣ ପ୍ରକ୍ରିୟା ଛାତ୍ର-ଶିକ୍ଷକ ଅନୁପାତକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ଶିକ୍ଷାବିତ୍‌ ଡ. ମାନସ ବେହେରା କହିଛନ୍ତି। ସେ କହିଛନ୍ତି, ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସ୍ନାତକରେ ୨୬ ଶହ ନମ୍ବର ବଦଳରେ ୩୬ ଶହ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସଂଗତୀକରଣ ପ୍ରକ୍ରିୟା ଦ୍ୱାରା ଅଧ୍ୟାପକ ପଦ କମୁଥିବାରୁ ଶିକ୍ଷାର ଗୁଣାତ୍ମକମାନ ହ୍ରାସ ପାଇବ। ଅଧ୍ୟାପକଙ୍କ ଉପରେ କାର୍ଯ୍ୟଭାର ମଧ୍ୟ ବଢ଼ିବ। ଏଣୁ ଛାତ୍ର-ଶିକ୍ଷକଙ୍କ ଅନୁପାତକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ କହିଛନ୍ତି ଯେ ସଂଗତୀକରଣ ପ୍ରକ୍ରିୟା ନେଇ ବିଶ୍ୱବିଦ୍ୟାଳୟର ପଦ ସଂଖ୍ୟା ବଢ଼ିବା ବା କମିବା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଅପରପକ୍ଷରେ ନାକ୍‌ ମାନ୍ୟତା ପାଇବାରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମସ୍ୟାର ସମ୍ମୁଖୀନ ହେବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଛାତ୍ର-ଶିକ୍ଷକ ଅନୁପାତ କମିଲେ ‘ଏ+’ ମାନ୍ୟତା ଆହୁରି ନିମ୍ନଗାମୀ ହେବ ବୋଲି ଶିକ୍ଷାବିତ୍‌ମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।

About The Author: The Sakala