କେନ୍ଦ୍ର ସରକାରଙ୍କ ଶ୍ରମ ଶକ୍ତି ସର୍ଭେ ରିପୋର୍ଟ : ବେକାରୀ ନିୟନ୍ତ୍ରଣରେ ସମଗ୍ର ଦେଶରେ ଓଡ଼ିଶା ଆଗରେ ରହିଛି

ଭୁବନେଶ୍ୱର : ଦେଶରେ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏନେଇ ସାଧାରଣରେ ଜନ ଅସନ୍ତୋଷ ତୀବ୍ରତର ହୋଇଛି। ମାତ୍ର ଏହି ସମୟରେ ସାରା ଦେଶରେ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବରେ ଉତ୍ତମ ପ୍ରଦର୍ଶନ କରିଆସୁଛି। ଶୃଙ୍ଖଳିତ ବିତ୍ତୀୟ ପରିଚାଳନା, ସୁଶାସନ ଏବଂ ରୋଜଗାର ସୃଷ୍ଟି ପାଇଁ ନିୟମିତ ଯୋଜନା ଭିତ୍ତିକ ପଦକ୍ଷେପ ଯୋଗୁଁ ରାଜ୍ୟ ସରକାର କ୍ରମାଗତ ଭାବେ ବେକାରୀ ନିୟନ୍ତ୍ରଣରେ ଚମକପ୍ରଦ ପ୍ରଦର୍ଶନ କରି ଆସୁଛନ୍ତି।କେନ୍ଦ୍ର […]

ଭୁବନେଶ୍ୱର : ଦେଶରେ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏନେଇ ସାଧାରଣରେ ଜନ ଅସନ୍ତୋଷ ତୀବ୍ରତର ହୋଇଛି। ମାତ୍ର ଏହି ସମୟରେ ସାରା ଦେଶରେ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବରେ ଉତ୍ତମ ପ୍ରଦର୍ଶନ କରିଆସୁଛି। ଶୃଙ୍ଖଳିତ ବିତ୍ତୀୟ ପରିଚାଳନା, ସୁଶାସନ ଏବଂ ରୋଜଗାର ସୃଷ୍ଟି ପାଇଁ ନିୟମିତ ଯୋଜନା ଭିତ୍ତିକ ପଦକ୍ଷେପ ଯୋଗୁଁ ରାଜ୍ୟ ସରକାର କ୍ରମାଗତ ଭାବେ ବେକାରୀ ନିୟନ୍ତ୍ରଣରେ ଚମକପ୍ରଦ ପ୍ରଦର୍ଶନ କରି ଆସୁଛନ୍ତି।କେନ୍ଦ୍ର ସରକାର ଜାରି କରିଥିବା ନିୟମିତ ଶ୍ରମ ଶକ୍ତି ସର୍ଭେ ବା ପିରିୟଡିକ ଲେବର ଫୋର୍ସ ସର୍ଭେ (ପିଏଲ୍‌ଏଫ୍‌ଏସ୍‌) ଅନୁସାରେ ୨୦୨୩ ଏପ୍ରିଲ୍-ଜୁନ୍‌ରେ ଓଡ଼ିଶାର ବେକାରି ହାର ହ୍ରାସ ପାଇଛି ।

ଓଡ଼ିଶାରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି ବେକାରୀ । ବଡ଼ବଡ଼ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା । ରୂପାନ୍ତରଣ ପଥରେ ଓଡ଼ିଶା ଆଗକୁ ଚାଲିଛି । ଆର୍ଥିକ ପରିଚାଳନାରେ ସଶକ୍ତ ହେବା ଓ ମୁଣ୍ଡପିଛା ଋଣ କମିବା ସହ ଦ୍ରୁତଗତିରେ ହ୍ରାସ ପାଇଛି ବେକାରୀ। ରାଜ୍ୟରେ ସବୁ ବୟସ ବର୍ଗରେ ବେକାରୀ ହାର ୬.୭ ପ୍ରତିଶତକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଜଣାପଡିଛି। ୨୦୨୩ ଏପ୍ରିଲ୍-ଜୁନ ମାସ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ସବୁ ବୟସ ବର୍ଗରେ ୬.୭ ପ୍ରତିଶତକୁ ହ୍ରାସ ପାଇଛି । ଗତବର୍ଷ ଏହି ସମୟରେ ଏହା ୧୧.୫ ପ୍ରତିଶତ ଥିଲା । ମହିଳାଙ୍କ କ୍ଷେତ୍ରରେ ବେକାରୀ ହାର ବର୍ଷକ ମଧ୍ୟରେ ୧୭.୬ ପ୍ରତିଶତରୁ ୮.୫ ପ୍ରତିଶତକୁ ହ୍ରାସ ପାଇଛି । ପୁରୁଷଙ୍କ କ୍ଷେତ୍ରରେ ଏହା ୧୦ ପ୍ରତିଶତରୁ ୬.୨ ପ୍ରତିଶତକୁ ହ୍ରାସ ପାଇଛି । ଶ୍ରମଶକ୍ତିରେ ଯୋଗଦାନ ହାର ୧୫ରୁ ୨୯ ବର୍ଷ ବୟସ ବର୍ଗର ପୁରୁଷଙ୍କ କ୍ଷେତ୍ରରେ ୨୦୨୨ ଏପ୍ରିଲ୍ -ଜୁନରୁ ୨୦୨୩ ଏପ୍ରିଲ୍ ଜୁନ୍ ମଧ୍ୟରେ ୫୭.୨ ପ୍ରତିଶତରୁ ୭୧.୨ ପ୍ରତିଶତକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆର୍ଥିକ ପରିଚାଳନାରେ ପୂରା ଦେଶକୁ ବାଟ ଦେଖାଇଥିବା ବେଳେ ଏବେ ବେକାରୀ ହ୍ରାସରେ ନୂଆ ରେକର୍ଡ କରିଛି ।

ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମ ନିଯୁକ୍ତି ପ୍ରଦାନକୁ ଯୋଜନାଭିତ୍ତିରେ କାର୍ଯ୍ୟକାରୀ କରୁଥିବା ବେଳେ ଏହାର ସୁଫଳ ତୃଣମୂଳସ୍ତରରେ ପ୍ରତିଫଳିତ ହେଉଛି।ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ ହୋଇପାରିଛି। ଯାହାଫଳରେ ଯୁବକ ଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇପାରିଛନ୍ତି। ସେହିପରି ନିଜସ୍ୱ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏହି ସଫଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଅନ୍ୟପଟେ ଶିଳ୍ପାୟନରେ ନୂଆ ଅଧ୍ୟାୟ ଆରମ୍ଭ ହେବା ସହ ବିଦେଶୀ ପୁଞ୍ଜିନିବେଶରେ ଦେଶର ତୃତୀୟ ସ୍ଥାନରେ ରହିଛି ଓଡ଼ିଶା । ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‍ ଓ ବିପଣନ ଏବଂ ଲଜିଷ୍ଟିକ୍‍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯାଉଛି। ଯାହା ଫଳରେ ଆଗାମୀ ଦିନରେ ରାଜ୍ୟର ଯୁବପିଢି ଆହୁରି ଅଧିକ ନିଯୁକ୍ତି ପାଇବେ। ଏଥି ସହିତ ଓଡ଼ିଶା ଆଇଟି ହବରେ ପରିଣତ ହେଉଛି । ବିଭିନ୍ନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇଥିବାରୁ ଅଧିକ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହେଉଛନ୍ତି । ଆଗକୁ ସବୁ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବା ଫଳରେ ବେକାରୀ ସମସ୍ୟା ସାରା ଦେଶ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଓଡ଼ିଶାରେ ଏହା ଦ୍ରୁତଗତିରେ କମି ରାଜ୍ୟକୁ ସ୍ବତନ୍ତ୍ର ପରିଚୟ ଦେଇଛି ।  ଓଡ଼ିଶାର ବେକାରୀ ହାର ଦେଶବ୍ୟାପୀ ଲଗାତାର ଭାବେ ସର୍ବନିମ୍ନରେ ରହୁଥିବା ବେଳେ କର୍ମନିଯୁକ୍ତି ପ୍ରଦାନରେ ଯେ ଓଡ଼ିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି।

About The Author: The Sakala