ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା । ମାଟିର ପୁଅ ବିଜୁ ବାବୁଙ୍କ ପ୍ରତି ଅସମ୍ମାନକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ବୋଲି ସେ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି।
୧୯୯୧ ମସିହାରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶା ପ୍ରଥମ ଭାରତୀୟ ରାଜ୍ୟ ଥିଲା ଯେଉଁଠାରେ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ କରାଯାଇଥିଲା। ବିଜୁ ପଟ୍ଟନାୟକ ସରକାର ୩ଟି ଗୁରୁତ୍ୱପୂର୍ଣ୍ଣ ଆଇନ ପାସ୍ କରିଥିଲେ। ଓଡ଼ିଶା ଗ୍ରାମ ପଞ୍ଚାୟତ (ସଂଶୋଧନ) ଆଇନ, ଓଡ଼ିଶା ପଞ୍ଚାୟତ ସମିତି (ସଂଶୋଧନ) ଆଇନ ଏବଂ ଓଡ଼ିଶା ଜିଲ୍ଲା ପରିଷଦ (ସଂଶୋଧନ) ଆଇନ, ଯାହା ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ପ୍ରଦାନ କରିଥିଲା।
୧୯୯୧ ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧୀନରେ ୨୮,୦୬୯ ମହିଳା ସଦସ୍ୟ ନିର୍ବାଚିତ ହୋଇଥିଲେ। କେନ୍ଦ୍ର ସରକାର ଏହି ମଡେଲକୁ ଅନୁସରଣ କରିଥିଲେ ଏବଂ ୧୯୯୨ ମସିହାରେ ୭୩ତମ ସଂଶୋଧନ ଆକାରରେ ସଂସ୍କାର ଆଣିଥିଲେ। ଏହି କାରଣରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ସମ୍ମାନ ପାଇବାକୁ ଯୋଗ୍ୟ ଏବଂ ତାଙ୍କ ଜନ୍ମବାର୍ଷିକୀ ମାର୍ଚ୍ଚ ୫କୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଥିଲା। ଏହାକୁ ପରିବର୍ତ୍ତନ କରି, ଓଡ଼ିଶା ସରକାର କିମ୍ବଦନ୍ତୀ ପ୍ରତି ଘୋର ଅନ୍ୟାୟ କରିଛନ୍ତି ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।