ବାଲିଅନ୍ତା: ବାଲିଅନ୍ତାରେ ଚାଞ୍ଚଲ୍ୟ । ପୋଲିସ ସାମ୍ନାରେ ଅସଦାଚରଣ କରିଥିବା ଦୁଇଜଣ ଯୁବକଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ। ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ । ମୃତ ଯୁବକଜଣକ ମୌଜପୁର ଗାଁର ସୌମ୍ୟରଂଜନ ସ୍ବାଇଁ ବୋଲି ଜଣାପଡିଛି । ଅନ୍ୟଜଣେ ଯୁବକ ଥାନାରେ ଅଟକ ରହିଛି । ତେବେ ପୋଲିସ ସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ଉଠିଛି ପ୍ରଶ୍ନ । ଯାହାକୁ ନେଇ ଏବେ ରାଜ୍ୟର ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟରେ ପ୍ରଥମେ ଦୁଇଜଣ ଯୁବକ ରାସ୍ତାରେ ଯାଉଥିବା ଯୁବତୀଙ୍କ ସହ ମୋଟରସାଇକେଲ ଧକ୍କା କରିଥିଲେ । ଏହାଉପରେ ଏହି ଦୁର୍ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାର୍ଟିତୁଣ୍ଡ ହୋଇଥିଲା । ଏସବୁ ଭିତରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ କି ଦୁଇ ଯୁବକ ସେମାନଙ୍କ ସହ ଅସଦାଚରଣ କରିଛନ୍ତି । ଏହି ଅଭିଯୋଗକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ପିଟିଥିଲେ । ବାଉଁଶରେ ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ଦୁଇ ଯୁବକଙ୍କୁ ପିଟିଥିଲେ ଲୋକେ । ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ହେଲେ ଅଡ଼ଶପୁରର ସୌମ୍ୟରଂଜନ ସ୍ୱାଇଁ । ଅନ୍ୟଜଣେ ଯୁବକ ଓମ୍ ପ୍ରକାଶ ରାଉତ ଆହତ ହୋଇଛନ୍ତି । ତାଙ୍କୁ ପୁଲିସ ଉଦ୍ଧାର କରି ଥାନାରେ ଅଟକ ରଖିଛି ।