ଭୁବନେଶ୍ୱର/ପୁରୀ,: ଆସନ୍ତା ୨୮ ଓ ୨୯ ତାରିଖରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ୨୮ତାରିଖ କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ପଡ଼ୁଛି। ଶନିବାର ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣର ସ୍ପର୍ଶ ହେବ। ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ଅର୍ଥାତ୍ ଗ୍ରହଣର ଆଦ୍ୟାନ୍ତ କାଳ ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟା ୪ ମିନିଟ୍ ୫୫ ସେକେଣ୍ଡଠାରୁ ରାତି ୨ଟା ୨୪ ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ରହିବ। ତେଣୁ ଏଥର ଚାନ୍ଦପୂଜା ଅପରାହ୍ଣରେ ହେବ।
ଅପରପକ୍ଷେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ନୀତିକାନ୍ତି ଆରମ୍ଭ ହେବ। ୨୮ ତାରିଖ ପୂର୍ବ ରାତି ୨ଟାରେ ଦ୍ୱାର ଫିଟାଯାଇ ନୀତିକାନ୍ତି ଆରମ୍ଭ ହେବ। ରାତି ୩ଟାରେ ମଙ୍ଗଳ ଆଳତି ସରି ଭୋର ସାଢ଼େ ୪ରୁ ସାଢ଼େ ୫ଟା ମଧ୍ୟରେ ରାଧାଦାମୋଦର ବେଶ, ସକାଳ ୮ରୁ ସାଢ଼େ ୮ଟା ମଧ୍ୟରେ ବାଳଭୋଗ ଓ ଅପରାହ୍ନ ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ। ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରିବେ। ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ। ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ।