ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ ଓ ଲୀଳା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ମହାପ୍ରଭୁଙ୍କ ବେଶ, ଲୀଳା, ଦୈନନ୍ଦିନ ବ୍ୟବହାର କରୁଥିବା ସାମଗ୍ରୀ, ଶ୍ରୀମନ୍ଦିରରେ ବ୍ୟବହୃତ ହାଣ୍ଡିକୁଡ଼ୁଆ ଏବଂ ରଥ ନିର୍ମାଣ ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ଅବଗତ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଦର୍ଶିତ ହେବାକୁ ଥିବା ଠାକୁରଙ୍କର ବିଭିନ୍ନ ବେଶ, ଲୀଳା, ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଲାଗି କମିଟିମାନ ଗଢ଼ା ଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀକୁ ଆସିଥିବା ଅଧିକାରୀ […]

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ମହାପ୍ରଭୁଙ୍କ ବେଶ, ଲୀଳା, ଦୈନନ୍ଦିନ ବ୍ୟବହାର କରୁଥିବା ସାମଗ୍ରୀ, ଶ୍ରୀମନ୍ଦିରରେ ବ୍ୟବହୃତ ହାଣ୍ଡିକୁଡ଼ୁଆ ଏବଂ ରଥ ନିର୍ମାଣ ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ଅବଗତ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଦର୍ଶିତ ହେବାକୁ ଥିବା ଠାକୁରଙ୍କର ବିଭିନ୍ନ ବେଶ, ଲୀଳା, ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଲାଗି କମିଟିମାନ ଗଢ଼ା ଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀକୁ ଆସିଥିବା ଅଧିକାରୀ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପ୍ରମୁଖଙ୍କୁ ନେଇ ଭିନ୍ନଭିନ୍ନ କମିଟି ଗଠନ କରାଯାଇଛି। ଆଲୋଚନା ଅନୁଯାୟୀ, ଲୋକାର୍ପଣ ଉତ୍ସବ ଅବସରରେ ଜଗନ୍ନାଥ ବଲ୍ଲଭ ପରିସରରେ ବିଭିନ୍ନ ପ୍ରଦର୍ଶନୀ କରାଯିବ। ମହାପ୍ରଭୁଙ୍କ ବିଭିନ୍ନ ଲୀଳାକୁ ବାହାରୁ ଆସୁଥିବା ନିମନ୍ତ୍ରିତ ଅତିଥି ଓ ଭକ୍ତ ଦେଖିପାରିବେ। ମହାପ୍ରଭୁଙ୍କର ଅନେକ ଭକ୍ତ ଯେପରିକି ଭକ୍ତ ସାଲବେଗ, ଦାସିଆବାଉରୀ ପ୍ରମୁଖ ରହିଛନ୍ତି, ଯେଉଁମାନଙ୍କ ପାଇଁ ମହାପ୍ରଭୁ ନିଜେ ଅଲୌକିକତା ଦେଖାଇଛନ୍ତି। ଏ ସବୁର ପ୍ରଦର୍ଶନ କରାଯିବ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତିରେ ବ୍ୟବହୃତ ହେଉଥିବା ଜିନିଷାଦି ଯେପରିକି ଥାଳି, ଘଣ୍ଟି, ଗଡ଼ୁ, ଦର୍ପଣ ଇତ୍ୟାଦି ମଧ୍ୟ ପ୍ରଦର୍ଶିତ ହେବ। ମହାପ୍ରଭୁ ଦୈନନ୍ଦିନ ବିଭିନ୍ନ ପ୍ରକାର ବସ୍ତ୍ର ପରିଧାନ କରନ୍ତି। ସେହିପରି ଶ୍ରୀମନ୍ଦିରରେ ବ୍ୟବହୃତ ହାଣ୍ଡି, କୁଡ଼ୁଆ, ରଥ ନିର୍ମାଣ; ଏସବୁ ବିଷୟରେ ଯେପରି ବାହାରୁ ଆସୁଥିବା ସନ୍ଥ, ବିଦ୍ୱାନ, ବିଶିଷ୍ଟ ବ୍ୟକ୍ତି ଏବଂ ଶ୍ରଦ୍ଧାଳୁ ଅବଗତ ହେବେ, ସେ ସବୁକୁ ପ୍ରଦର୍ଶନ ପାଇଁ ଯୋଜନା ରହିଛି। କିନ୍ତୁ ଠାକୁରଙ୍କର କୌଣସି ଗୋପନୀୟ ଜିନିଷ ପ୍ରଦର୍ଶନ କରାଯିବ ନାହିଁ। ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

About The Author: The Sakala